ଅଫିସରଙ୍କ ଦରମାରୁ କଟିବ ଟଙ୍କା ! ଦିନକୁ ୨୫୦, ସର୍ବାଧିକ ୫ ହଜାର ଜରିମାନା

ଏଣିକି ସରକାରୀ ସେବା ଦେବାରେ ବିଳମ୍ବ କଲେ ତଣ୍ଡ ଗଣିବେ ଅଫିସର । ଧାର୍ଯ୍ୟ ସମୟସୀମା ଭିତରେ ଲୋକଙ୍କୁ ସେବା ନଦେଲେ, ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଜରିମାନା । ଦିନକୁ ୨୫୦ ଟଙ୍କା, ଆଉ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ଦେବାର ବ୍ୟବସ୍ଥା ହୋଇଛି । ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବାକୁ ଆସିଛି ନୂଆ ଗାଇଡଲାଇନ୍ ।

ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଲୋକଙ୍କୁ ମିଳୁଥିବା ସରକାରୀ ସେବାରେ ଏଣିକି ରହିବ କଡ଼ା ନଜର । ସେବା ପାଇବା ପାଇଁ ଆବେଦନ କରିବା ପରେ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ସେବା ନମିଳେ, ତେବେ ଆପେ ଆପେ ଆରମ୍ଭ ହେବ ‘ଅଟୋ-ଅପିଲ୍ ସିଷ୍ଟମ୍’ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସଓପି ।ନୂଆ ଏସଓପି ଅନୁସାରେ, ଜନସାଧାରଣଙ୍କୁ ସେବା ଦେବାରେ ବିଳମ୍ବ ହେଲେ ଏହାର ଦାୟିତ୍ୱ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ରହିବ । ଆଉ ଅଧିକାରୀଙ୍କ ଅବହେଳା କିମ୍ବା ବିଳମ୍ବ ପାଇଁ ଦିନକୁ ୨୫୦ ଟଙ୍କା ହିସାବରେ ଜରିମାନା ଲାଗୁ ହୋଇପାରିବ । ତେବେ ଏହି ଜରିମାନାର ସର୍ବାଧିକ ସୀମା ରହିବ ୫ ହଜାର ଟଙ୍କା ।

ସବୁଠାରୁ ବଡ଼ କଥା ହେଉଛି, ଜରିମାନା ଲାଗିଲେ ଏହା ଆଦାୟ ପାଇଁ ଆଉ ଅଲଗା ପ୍ରକ୍ରିୟାର ଆବଶ୍ୟକତା ରହିବ ନାହିଁ । ସମ୍ପୃକ୍ତ ଅଧିକାରୀଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ୍ ସହ ଏହାକୁ ସଂଯୋଗ କରାଯିବ । ଫଳରେ ନିର୍ଦ୍ଧାରିତ ଜରିମାନା ରାଶି ସିଧାସଳଖ ଅଧିକାରୀଙ୍କ ଦରମାରୁ କାଟି ନିଆଯାଇପାରିବ ।ଅର୍ଥାତ୍‌, ଏଣିକି ସରକାରୀ ଅଫିସରେ ଫାଇଲ୍ ପକାଇ ରଖିବା କିମ୍ବା ସେବା ଦେବାରେ ଅଯଥା ବିଳମ୍ବ କରିବା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଧାର୍ଯ୍ୟ ସମୟରେ ସେବା ନଦେଲେ ଅଟୋ-ଅପିଲ୍ ହେବ ଏବଂ ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କୁ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ ।

ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏସଓପି ପଠାଯାଇଛି । ଲକ୍ଷ୍ୟ ହେଉଛି—ସରକାରୀ ସେବାରେ ବିଳମ୍ବ କମାଇବା, ଅଧିକାରୀଙ୍କ ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ଧାର୍ଯ୍ୟ ସମୟରେ ସେବା ଯୋଗାଇଦେବା ।ତେବେ ନୂଆ ଅଟୋ-ଅପିଲ୍ ବ୍ୟବସ୍ଥା କେତେଦୂର ସରକାରୀ ସେବା ପ୍ରଦାନରେ ଗତି ଆଣୁଛି, ଅଧିକାରୀଙ୍କ ଜବାବଦେହିତା କେତେ ବଢ଼ୁଛି—ଆଗାମୀ ଦିନରେ ତାହା ଉପରେ ରହିବ ନଜର ।