ପୁଣି ତେଜିଲା କୋଟିଆ ବିବାଦ! ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟ ଯିବ ଓଡ଼ିଶା

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ। କୋଟିଆକୁ ନେଇ ପୁଣି ମୁହାଁମୁହିଁ ହୋଇପାରନ୍ତି ଦୁଇ ରାଜ୍ୟ। ଆନ୍ଧ୍ର ପ୍ରଦେଶ ସରକାରଙ୍କ କଥିତ ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି ଓଡ଼ିଶା।କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇପଡ଼ିଛନ୍ତି ଓଡ଼ିଶା ସରକାର।

ଅଭିଯୋଗ ଅନୁସାରେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଉଛନ୍ତି। ତେଣୁ ଏହି ପ୍ରସଙ୍ଗକୁ ନେଇ ପୁଣି ଥରେ ଆଇନର ଆଶ୍ରୟ ନେବାକୁ ବିଚାର କରୁଛି ଓଡ଼ିଶା।ପୂର୍ବରୁ ରୁଜୁ ହୋଇଥିବା ମାମଲାକୁ ପୁନର୍ବାର ଖୋଲାଯିବ ନା ଏକ ନୂଆ ମାମଲା ଦାଏର କରାଯିବ, ସେନେଇ ଆଡଭୋକେଟ୍ ଜେନେରାଲ୍ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।

ଏହି ସମୟରେ କୋଟିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ତିନିଦିନିଆ ଗସ୍ତରେ ଯାଉଛନ୍ତି କୋରାପୁଟ ଉପଜିଲ୍ଲାପାଳ। ଗସ୍ତ ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା କରିବେ।କୋଟିଆରେ ନିଜର ପ୍ରଶାସନିକ ଉପସ୍ଥିତିକୁ ଆହୁରି ମଜବୁତ କରିବା ସହ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇବା ଉପରେ ଓଡ଼ିଶା ସରକାର ଗୁରୁତ୍ୱ ଦେଉଛନ୍ତି।

ତେବେ କୋଟିଆ ବିବାଦ କେବଳ ଜମି କିମ୍ବା ସୀମାକୁ ନେଇ ନୁହେଁ, ଏହା ଦୁଇ ରାଜ୍ୟର ପ୍ରଶାସନିକ ଅଧିକାର ସହ ମଧ୍ୟ ଜଡ଼ିତ। ତେଣୁ ଏହି ବିବାଦର ସ୍ଥାୟୀ ଓ ଆଇନଗତ ସମାଧାନ ଏବେ ସବୁଠାରୁ ବଡ଼ ଆହ୍ୱାନ।ଏବେ ଦେଖିବାକୁ ବାକି ରହିଲା, ଓଡ଼ିଶା ସରକାର ସୁପ୍ରିମକୋର୍ଟରେ କେବେ ଆବେଦନ କରୁଛନ୍ତି ଏବଂ ଏହି ବିବାଦରେ ଆଗକୁ କେଉଁ ମୋଡ଼ ଆସୁଛି।