ଓଡ଼ିଶାରେ ୧୯୪ ବ୍ଲାକ୍ ସ୍ପଟ୍, ଆଉ କେତେ ହେଲେ ନିଦ ଭାଙ୍ଗିବ ?

ପ୍ରିଜମ୍ ନ୍ୟୁଜ : ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡ଼ିକୁ ବ୍ଲାକ ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି ସୂଚନା ଦେଇଛନ୍ତି ଯେ, ସାରା ଦେଶରେ ୬୩୫୮ଟି ବ୍ଲାକ ସ୍ପଟ୍ ମଧ୍ୟରୁ ଓଡ଼ିଶାରେ ୧୯୪ଟି ଚିହ୍ନଟ ହୋଇଛି। ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ଦୁର୍ଘଟଣା ତଥ୍ୟ ଏବଂ AI ଆଧାରିତ ବିଶ୍ଳେଷଣରେ ଏହି ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି।

ସର୍ବାଧିକ ୨୮ଟି ବ୍ଲାକ ସ୍ପଟ୍ ଯାଜପୁର ଜିଲ୍ଲାରେ ରହିଛି। ଏହା ପରେ ଗଞ୍ଜାମରେ ୧୭ଟି, କଟକ ସହରାଞ୍ଚଳ ଓ ପୁରୀରେ ୧୩ଟି ଲେଖାଏଁ ରହିଛି। ଭୁବନେଶ୍ୱର ସହରାଞ୍ଚଳ ଓ ମୟୂରଭଞ୍ଜରେ ୧୧ଟି ଲେଖାଏଁ ବ୍ଲାକ ସ୍ପଟ୍ ଥିବାବେଳେ ନୟାଗଡ଼, ଭଦ୍ରକ ଓ ବ୍ରହ୍ମପୁରରେ ୧୦ଟି ଲେଖାଏଁ ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ ହୋଇଛି। ଚିନ୍ତା ବଢ଼ାଉଛି ଦୁର୍ଘଟଣାର ପରିସଂଖ୍ୟାନ। ୨୦୨୦ ମସିହାରେ ଓଡ଼ିଶାର ଜାତୀୟ ରାଜପଥରେ ୩୬୭୩ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୪ରେ ଏହା ବଢ଼ି ୪୫୫୫ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୭୮୧ରୁ ୨୩୫୮କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା ମଧ୍ୟ ୩୪୨୧ରୁ ବଢ଼ି ୪୨୫୭ରେ ପହଞ୍ଚିଛି।

ବଢ଼ୁଥିବା ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସମସ୍ତ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ଅଡିଟ୍ ବାଧ୍ୟତାମୂଳକ କରାଯାଇଛି। ରାଜପଥର ଡିଜାଇନ୍, ନିର୍ମାଣ ଓ ପରିଚାଳନାର ତୃତୀୟ ପକ୍ଷ ଯାଞ୍ଚ ସହ ଡ୍ରାଇଭିଂ ଟ୍ରେନିଂ ଓ ସ୍ୱୟଂକ୍ରିୟ ପରୀକ୍ଷା କେନ୍ଦ୍ର ସ୍ଥାପନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।ତେବେ ଓଡ଼ିଶାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ବ୍ଲାକ ସ୍ପଟ୍‌ର ସଂଖ୍ୟା ସଡ଼କ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ଏହି ବ୍ଲାକ ସ୍ପଟ୍‌ଗୁଡ଼ିକର ସ୍ଥାୟୀ ସମାଧାନ କେତେ ଶୀଘ୍ର ହେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।