ଓଡ଼ିଶାରେ SIR ଶେଷ:ବାଦ ପଡିଲେ ଏତେ ଭୋଟର !

ଓଡ଼ିଶାରେ SIR ଶେଷ, ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା | ବାଦ ପଡିଲେ ଅନେକ ଭୋଟର | ଓଡ଼ିଶା ପାଇଁ SIRର ଯୋଗ୍ୟତା ତାରିଖ ୧ ଜୁଲାଇ ୨୦୨୬ ରଖାଯାଇଥିଲା।ଚୂଡ଼ାନ୍ତ ତାଲିକା ଅନୁସାରେ ରାଜ୍ୟରେ ମୋଟ ୩,୧୬,୩୨,୭୫୪ ଜଣ ଭୋଟର ରହିଛନ୍ତି। ଏଥିରେ ୧,୬୧,୩୦,୩୧୯ ଜଣ ପୁରୁଷ, ୧,୫୪,୯୯,୬୬୧ ଜଣ ମହିଳା ଏବଂ ୨୭୪ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଡ୍ରାଫ୍ଟ ତାଲିକାରେ ଥିବା ୩,୧୩,୮୭,୦୩୪ ଭୋଟରଙ୍କ ତୁଳନାରେ ଚୂଡ଼ାନ୍ତ ତାଲିକାରେ ୨,୪୫,୭୨୦ ଜଣ ବୃଦ୍ଧି ହୋଇଛି।

SIR ପୂର୍ବରୁ ରାଜ୍ୟରେ ୩,୩୩,୯୯,୫୯୧ ଜଣ ଭୋଟର ଥିଲେ। ଜୁଲାଇ ୫ରେ ପ୍ରକାଶିତ ଡ୍ରାଫ୍ଟ ତାଲିକାରେ ଏହି ସଂଖ୍ୟା ୩,୧୩,୮୭,୦୩୪କୁ ହ୍ରାସ ପାଇଥିଲା। ଅର୍ଥାତ୍ ଡ୍ରାଫ୍ଟ ପର୍ଯ୍ୟାୟରେ ୨୦,୧୨,୫୫୭ ଜଣଙ୍କ ନାଁ ତାଲିକାରୁ ବାଦ ପଡ଼ିଥିଲା। ଏହାର ପ୍ରମୁଖ କାରଣ ଭାବେ ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତି ଓ ଏକାଧିକ ସ୍ଥାନରେ ନାଁ ଥିବା ଭଳି କାରଣ ଦର୍ଶାଯାଇଥିଲା।SIR ପ୍ରକ୍ରିୟାରେ ମୋଟ ୩,୧୩,୮୭,୦୩୪ଟି ଏନୁମେରେସନ୍ ଫର୍ମ ଫେରିଥିବା ବେଳେ ୨୦,୧୨,୫୫୭ଟି ଫର୍ମ ଫେରିନଥିଲା। ଏଥିରେ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ ଓ ଡୁପ୍ଲିକେଟ୍ ଭୋଟରଙ୍କ ମାମଲା ରହିଥିଲା।

ଭୋଟରମାନେ ଚୂଡ଼ାନ୍ତ ତାଲିକାରେ ନିଜ ନାଁ ଯାଞ୍ଚ କରିପାରିବେ। ନାଁ ଯୋଡ଼ିବା ପାଇଁ ଫର୍ମ-୬/୬A, ତଥ୍ୟ ସଂଶୋଧନ ପାଇଁ ଫର୍ମ-୮ ଏବଂ ନାଁ ବାଦ ଦେବା ପାଇଁ ଫର୍ମ-୭ ବ୍ୟବହାର କରାଯାଇପାରିବ। EROଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ନିୟମ ଅନୁସାରେ ଆପିଲର ବ୍ୟବସ୍ଥା ମଧ୍ୟ ରହିଛି।