ଗିରଫ ହେଲେ ଉଦୟନିଧି ଷ୍ଟାଲିନ |


ରାଜନୀତିରୁ ସିନେମା… ସିନେମାରୁ ଆଇନ… ଆଉ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଡିଏମକେର ହେଭିୱେଟ୍ ନେତା ତଥା ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ | ଅଭିନେତ୍ରୀ ତ୍ରିଷାଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ଡିଏମକେ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ | ତାଙ୍କ ଚେନ୍ନାଇସ୍ଥିତ ବାସଭବନରୁ ଗିରଫ କରିଛି ପୋଲିସ..ସୋସିଆଲ ମିଡିଆରେ ଏହି ଖବର ଏବେ ଖୁବ ଭାଇରାଲ ହେଉଛି |

ଏହି ଘଟଣା ପରେ ଡିଏମକେ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ବିକ୍ଷୋଭର ସୂଚନା ମିଳିଛି | ଗିରଫ ବେଳେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା | ସୂଚନା ଅନୁସାରେ, ସୋମବାର ଏକ ରାଲି ସମୟରେ ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ କିଛି ଆପତ୍ତିଜନକ ଟିପ୍ପଣୀ କରିଥିଲେ | ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବିବାଦ ସୃଷ୍ଟି ହୋଇଥିଲା | ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଉଦୟନିଧିଙ୍କୁ ଘେରିଥିଲେ | ଆଉ ଆଜି ତାଙ୍କୁ ଉଠାଇ ନେଇଛି ପୋଲିସ |

ଘଟଣାକୁ ନେଇ ସୋସିଆଲ ମିଡିଆରେ ଡିଏମକେ ଏବଂ ଟିଭିକେ ମଧ୍ୟରେ ଯୁକ୍ତି ଦେଖିବାକୁ ମିଳୁଛି | କେହି ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରୁଥିବା ବେଳେ ଆଉ କେହି ଏହାକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଅଭିହିତ କରୁଛନ୍ତି | ଏହାରି ଭିତରେ ଉଦୟନିଧିଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖବର ମିଳିଛି | ପରିସ୍ଥିତିକୁ ଦୃଷ୍ଟିରେ ରଖି ଚେନ୍ନାଇ ସମେତ ଅନେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି |

ଜଣେ ବରିଷ୍ଠ ରାଜନେତାଙ୍କ ଗିରଫ ତାହା ପୁଣି ଜଣେ ମହିଳାଙ୍କ ବିରୋଧରେ କଥିତ ଅଶୋଭନୀୟ ମନ୍ତବ୍ୟକୁ କେନ୍ଦ୍ର କରି ସ୍ୱାଭାବିକ ଭାବେ ଏହି ଘଟଣା ଏବେ ତାମିଲନାଡୁର ରାଜନୀତିରେ ବଡ଼ ପ୍ରସଙ୍ଗ ପାଲଟିଛି |