Blog
ପିଲାଙ୍କ ପାଇଁ ସୋସିଆଲ୍ ମିଡିଆରେ କଟକଣା! ରାତିରେ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ବ୍ଲକ୍?
ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ଆସିଲା ବଡ଼ ଖବର । ରାତିରେ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ବ୍ୟବହାର ଉପରେ କଟକଣା! ଛୋଟ ପିଲାଙ୍କ ସୋସିଆଲ୍ ମିଡିଆ ଆସକ୍ତି କମାଇବାକୁ ଦୈନିକ ବ୍ୟବହାର ସୀମା ଏବଂ ନାଇଟ୍ ବ୍ଲକ୍ ଭଳି ଫିଚର୍ ଆଣିବାକୁ ମେଟାକୁ ନିର୍ଦ୍ଦେଶ । ଆମେରିକାର କାଲିଫର୍ନିଆ ଫେଡେରାଲ୍ କୋର୍ଟରୁ ଆସିଛି ଏଭଳି ନିର୍ଦ୍ଦେଶ । କେବଳ ନିର୍ଦ୍ଦେଶ ନୁହେଁ, ଶିଶୁଙ୍କ ସୁରକ୍ଷାକୁ ନେଇ ମେଟା ବିରୋଧରେ ମାମଲାରେ ଆସିଛି ବଡ଼ ଆର୍ଥିକ ଦଣ୍ଡ । ପ୍ରାୟ ୧.୫୯ ଲକ୍ଷ କୋଟି ଟଙ୍କାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ରିପୋର୍ଟ ଆସିଛି । ଶିଶୁଙ୍କ ସୋସିଆଲ୍ ମିଡିଆ ଆସକ୍ତି, ସୁରକ୍ଷା ବିପନ୍ନତା ଏବଂ ବିନା ସହମତିରେ ଡାଟା ସଂଗ୍ରହ ଭଳି ଅଭିଯୋଗକୁ ନେଇ ଏହି ମାମଲା ହୋଇଥିଲା ।
ନୂଆ ନିର୍ଦ୍ଦେଶ ଅନୁସାରେ, ମେଟାକୁ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମରେ ଏଭଳି ଫିଚର୍ ଆଣିବାକୁ ହେବ, ଯାହା ମାଧ୍ୟମରେ ଅଭିଭାବକମାନେ ପିଲାଙ୍କ ଦୈନିକ ସ୍କ୍ରିନ୍ ଟାଇମ୍ ସୀମିତ କରିପାରିବେ । ଏହା ସହ ରାତି ସମୟରେ ଆପ୍ ବ୍ୟବହାରକୁ ବ୍ଲକ୍ କରିବା କିମ୍ବା ସୀମିତ କରିବା ଭଳି ବ୍ୟବସ୍ଥା ରହିବ । ଅର୍ଥାତ୍ ପିଲାମାନେ ରାତି ଅଧିଆ ସୋସିଆଲ୍ ମିଡିଆରେ ସମୟ କାଟିବାରୁ ଦୂରେଇ ରହିପାରିବେ । ଅଭିଭାବକଙ୍କ ହାତରେ ମଧ୍ୟ ପିଲାଙ୍କ ଡିଜିଟାଲ୍ ବ୍ୟବହାର ନିୟନ୍ତ୍ରଣ ପାଇଁ ଅଧିକ ବିକଳ୍ପ ରହିବ ।
ତେବେ ମେଟା ବିରୋଧରେ ଏତେ ବଡ଼ ଅଭିଯୋଗ କାହିଁକି? ଶିଶୁଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ଆସକ୍ତି ବଢ଼ାଇବା, ଯୁବବର୍ଗଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଏବଂ ବିନା ସହମତିରେ ବ୍ୟକ୍ତିଗତ ଡାଟା ସଂଗ୍ରହ ଭଳି ଅଭିଯୋଗ ଆସିଥିଲା । ଆମେରିକାର ବିଭିନ୍ନ ରାଜ୍ୟ, ସ୍କୁଲ୍ ଏବଂ ଅଭିଭାବକଙ୍କ ପକ୍ଷରୁ ମଧ୍ୟ ମେଟା ବିରୋଧରେ ମାମଲା ହୋଇଥିଲା । ସୋସିଆଲ୍ ମିଡିଆ ବ୍ୟବହାର ଯୁବବର୍ଗଙ୍କ ମାନସିକ ଚାପ ବଢ଼ାଉଥିବା ନେଇ ଅଭିଯୋଗ କରାଯାଇଥିଲା ।
ଆଜିର ଡିଜିଟାଲ୍ ଯୁଗରେ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଏବଂ ସୋସିଆଲ୍ ମିଡିଆ ପହଞ୍ଚିବା ଯେତିକି ସହଜ ହୋଇଛି, ସେତିକି ବଢ଼ିଛି ଅଭିଭାବକଙ୍କ ଚିନ୍ତା । ପାଠପଢ଼ା ସମୟରୁ ଆରମ୍ଭ କରି ଶୋଇବା ସମୟ ପର୍ଯ୍ୟନ୍ତ ସୋସିଆଲ୍ ମିଡିଆରେ ସମୟ କାଟୁଥିବା ପିଲାଙ୍କୁ ନିୟନ୍ତ୍ରଣ କରିବା ଅନେକ ସମୟରେ ବଡ଼ ଚ୍ୟାଲେଞ୍ଜ ।ଏଭଳି ସ୍ଥିତିରେ ଦୈନିକ ବ୍ୟବହାର ସୀମା ଏବଂ ରାତିରେ ବ୍ଲକ୍ ଫିଚର୍ ଭଳି ବ୍ୟବସ୍ଥା ଅଭିଭାବକଙ୍କ ପାଇଁ ଏକ ବଡ଼ ସହାୟତା ହୋଇପାରେ । ତେବେ ଏହି ନିର୍ଦ୍ଦେଶ କେମିତି କାର୍ଯ୍ୟକାରୀ ହେବ ଏବଂ ମେଟା କେବେଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବ—ତାହା ଉପରେ ଏବେ ନଜର ।
- Trending




