Blog
୭ ଦିନ ଯାଏଁ ରାଜ୍ୟରେ ବର୍ଷାର ତାଣ୍ଡବ!
ରାଜ୍ୟ ଉପରେ ପୁଣି ବର୍ଷା ବିପଦ! ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ବର୍ଷାର ପରିମାଣ ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।ଭୀଷଣ ବର୍ଷାକୁ ନଜରରେ ରଖି ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅର୍ଥାତ୍ ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ।ଏହାସହ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟ ପ୍ରଭାବିତ ହେବା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ସମସ୍ୟା ଉପୁଜିବାର ଆଶଙ୍କା ମଧ୍ୟ ରହିଛି ।
ସେହିପରି ୧୮ ଜିଲ୍ଲା ପାଇଁ ମଧ୍ୟ ରହିଛି ବର୍ଷା ଆଲର୍ଟ । ମାଲକାନଗିରି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ଖାଲି ଆଜି କିମ୍ବା ଆସନ୍ତାକାଲି ନୁହେଁ… ବର୍ଷାରୁ ମିଳିବନି ଶୀଘ୍ର ନିସ୍ତାର! ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିପାରେ ।
ତେଣୁ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାକୁ ନଜରରେ ରଖି ନଦୀନାଳ, ତଳିଆ ଅଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ । ଆଗାମୀ ୨୪ ଘଣ୍ଟାରେ ବର୍ଷାର ତୀବ୍ରତା କେତେ ବଢ଼ୁଛି, ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
- Trending




