ଗୋଟିଏ ଫଟୋ, ବଢ଼ିଲା ରାଜନୀତି! ମୋହନଙ୍କ ଉପରେ ଧର୍ମେନ୍ଦ୍ରଙ୍କ ପ୍ରଭାବ?

ଦିଲ୍ଲୀରେ ଦାୟିତ୍ୱ ବଦଳିଲା… ଆଉ ଏପଟେ ଓଡ଼ିଶା ରାଜନୀତିରେ ବଢ଼ିଲା ଚର୍ଚ୍ଚା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ରାଜ୍ୟ ବିଜେପି ରାଜନୀତିକୁ ନେଇ ନୂଆ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଶ୍ନ ଉଠୁଛି… ଦିଲ୍ଲୀରେ ଭୂମିକା ବଦଳିଲା ପରେ ଓଡ଼ିଶା ରାଜନୀତିରେ କଣ ବଢ଼ିବ ଧର୍ମେନ୍ଦ୍ରଙ୍କ ଦବଦବା?ଏବେ ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଗୋଟିଏ ପରେ ଗୋଟିଏ ସ୍ଥାନରେ ନଜର ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେଉଁଠି କାର୍ଯ୍ୟକ୍ରମ… କେଉଁଠି ଯଜ୍ଞ… ଆଉ କେଉଁଠି ପୁଣି ଏକାଠି ଦେଖାଯାଉଛନ୍ତି ଦୁଇ ନେତା। ତେଣୁ ଏହି ଫଟୋକୁ ନେଇ ଏବେ ରାଜନୈତିକ ମହଲରେ ଅନେକ ପ୍ରଶ୍ନ।

ଖାଲି ଏତିକି ନୁହେଁ… ଆଉ ଏକ ଫଟୋ ଦେଖନ୍ତୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଣ୍ଡିଆ ମାରୁଛନ୍ତି ମୋହନ ମାଝୀ। ଏହି ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏହା କେବଳ ଶିଷ୍ଟାଚାର ନା ଏହା ପଛରେ ରହିଛି ଆଉ କିଛି ରାଜନୈତିକ ସଙ୍କେତ? ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତାଳଚେରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମଦିନ ଅବସରରେ ହୋଇଥିଲା ବଡ଼ କାର୍ଯ୍ୟକ୍ରମ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଏହି କାର୍ଯ୍ୟକ୍ରମରେ ବି ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା। କାର୍ଯ୍ୟକ୍ରମ ହେଉ କି ଯଜ୍ଞ… ଏପରିକି କାର୍ଯ୍ୟକ୍ରମ ଶେଷ ସମୟରେ ମଧ୍ୟ ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ତେବେ ଏହି ସବୁ ଦୃଶ୍ୟ କଣ ସଙ୍କେତ ଦେଉଛି? ଧର୍ମେନ୍ଦ୍ରଙ୍କ ରାଜ୍ୟ ରାଜନୀତିରେ ପୁଣି ଦବଦବା ବଢ଼ୁଛି କି? ନା ଆଗାମୀ ଦିନରେ ମୋହନ ସରକାରଙ୍କ ସହ ତାଙ୍କର ସମନ୍ୱୟ ଆହୁରି ମଜବୁତ ହେବ? ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଥମୁନାହିଁ।ଅନ୍ୟପଟେ, ଆଗାମୀ ୨୦୨୯ ନିର୍ବାଚନକୁ ନେଇ ମଧ୍ୟ ଏବେଠୁ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି। ଦିଲ୍ଲୀ ବିଜେପିର ନୂଆ ସମୀକରଣ, ଧର୍ମେନ୍ଦ୍ରଙ୍କ ଆଗାମୀ ଭୂମିକା ଏବଂ ରାଜ୍ୟରେ ତାଙ୍କର ସକ୍ରିୟତା—ସବୁକିଛିକୁ ନେଇ ଏବେ ନଜର ରହିଛି।

ତେବେ ଏହା କେବଳ ଫଟୋର କାହାଣୀ ନା ୨୦୨୯ ପୂର୍ବରୁ ଓଡ଼ିଶା ବିଜେପିରେ କୌଣସି ବଡ଼ ରାଜନୈତିକ ଗେମ୍‌ର ସଙ୍କେତ? ଉତ୍ତର ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।