ପିଲାଙ୍କ ମୁହଁରେ ଶୁଭିବ ଗୀତାର ଶ୍ଲୋକ

ପାଠ ସହ ଜାଣିବେ ଶ୍ରୀକୃଷ୍ଣଙ୍କ ଜୀବନଦର୍ଶନ… ଆଉ ଗୀତାର ଜ୍ଞାନ ସହ ବଢ଼ିବ ଆଧ୍ୟାତ୍ମିକ ଚେତନା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍‌ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଏବଂ ଗୀତା ଜ୍ଞାନ ପରୀକ୍ଷା। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ।

ତେବେ ଏଥର ପ୍ରତିଯୋଗିତାର ବିଷୟ ମଧ୍ୟ ରହିଛି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଭଗବଦ୍‌ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’କୁ ଆଧାର କରି ହେବ ଗୀତା ପାଠ ପ୍ରତିଯୋଗିତା। ଅର୍ଥାତ୍‌ କେବଳ ଶ୍ଲୋକ ପାଠ ନୁହେଁ, ଆତ୍ମସଂଯମ, ମନ ନିୟନ୍ତ୍ରଣ ଓ ଜୀବନରେ ଶ୍ରୀକୃଷ୍ଣଙ୍କ ବାଣୀର ମହତ୍ତ୍ୱକୁ ବୁଝିବାର ସୁଯୋଗ ପାଇବେ ଛାତ୍ରଛାତ୍ରୀ।ପ୍ରଥମ ପର୍ଯ୍ୟାୟରେ ହେବ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା। ନିଜ ନିଜ ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜେତା ହେଉଥିବା ଛାତ୍ରଛାତ୍ରୀ ଆଗକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବାକୁ ପ୍ରୟାସ କରାଯାଉଛି।

ଏହି ପ୍ରତିଯୋଗିତାର ଆଉ ଏକ ବଡ଼ ଆକର୍ଷଣ ହେଉଛି ପୁରସ୍କାର ଓ ସ୍କଲାରସିପ୍‌। ରାଜ୍ୟସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ପୁରସ୍କୃତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍‌ ପ୍ରଦାନ କରାଯିବ। ଅର୍ଥାତ୍‌ ଗୀତାର ଜ୍ଞାନ ସହ ପ୍ରତିଭାର ମିଳିବ ସମ୍ମାନ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ମିଳିବ ପ୍ରୋତ୍ସାହନ।ବିଶେଷ କଥା ହେଉଛି… ଗୀତା ପାଠ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ଅଂଶଗ୍ରହଣ ଫି’ ନିଆଯିବ ନାହିଁ। ତେବେ ଗୀତା ପାଠ ପ୍ରତିଯୋଗିତା ସହିତ ପୃଥକ୍‌ ଭାବେ ଆୟୋଜିତ ହେବ ଗୀତା ଜ୍ଞାନ ପରୀକ୍ଷା।

ଏହି ପରୀକ୍ଷାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ରେ ନିର୍ଦ୍ଧାରିତ ପରୀକ୍ଷା ଫି’ ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ। ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ପରବର୍ତ୍ତୀ ସମୟରେ ଆୟୋଜକଙ୍କ ପକ୍ଷରୁ ଜଣାଇ ଦିଆଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଓଡ଼ିଆ ଭାଷାରେ ପ୍ରସ୍ତୁତ ବୁକ୍‌ଲେଟ୍‌ ମଧ୍ୟ ପଠାଯାଇଛି। ବୁକ୍‌ଲେଟ୍‌ରେ ପଞ୍ଜୀକରଣଠାରୁ ଆରମ୍ଭ କରି ପ୍ରତିଯୋଗିତା ସମ୍ପର୍କିତ ବିଭିନ୍ନ ସୂଚନା ଦିଆଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଆଗ୍ରହୀ ପିଲାଙ୍କୁ ଉତ୍ସାହିତ କରି ଅଂଶଗ୍ରହଣର ସୁଯୋଗ ଦେବାକୁ କୁହାଯାଇଛି।