Blog
ବଢୁଛି ବ୍ୟୟ, କେତେ ଋଣ କରିବେ ସରକାର ?
ପ୍ରିଜମ୍ ନ୍ୟୁଜ: ଚଳିତ ଆର୍ଥିକ ବର୍ଷର ଜୁନ୍ ଶେଷ ସୁଦ୍ଧା ରାଜ୍ୟର ମୋଟ ବଜେଟ୍ ଖର୍ଚ୍ଚ ପହଞ୍ଚିଛି ୪୪ ହଜାର ୩୮୯ କୋଟି ଟଙ୍କାରେ। ଏହା ମୋଟ ବଜେଟ୍ର ୧୫ ଦଶମିକ ୭ ପ୍ରତିଶତ। ଗତ ବର୍ଷ ଏହି ସମୟରେ ଖର୍ଚ୍ଚ ଥିଲା ୩୮ ହଜାର ୬୬୨ କୋଟି ଟଙ୍କା। ଅର୍ଥାତ୍ ଏକ ବର୍ଷ ମଧ୍ୟରେ ମୋଟ ବ୍ୟୟରେ ୧୪ ଦଶମିକ ୮ ପ୍ରତିଶତ ବୃଦ୍ଧି ହୋଇଛି।ସରକାରଙ୍କ କାର୍ଯ୍ୟକ୍ରମ ଖର୍ଚ୍ଚରେ ମଧ୍ୟ ବଡ଼ ବୃଦ୍ଧି ଦେଖାଯାଇଛି। ଜୁନ୍ ୨୦୨୬ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ବ୍ୟୟ ୨୬ ହଜାର ୪୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୩ ପ୍ରତିଶତ ଅଧିକ। ଏହା ସୂଚାଉଛି ଯେ ବିକାଶମୂଳକ ପ୍ରକଳ୍ପରେ ସରକାର ଅଧିକ ବ୍ୟୟ କରୁଛନ୍ତି।
ରାଜ୍ୟ ସରକାର ସମସ୍ତ ବିଭାଗକୁ ବରାଦ ଅର୍ଥ ଶୀଘ୍ର ବ୍ୟୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ସାମାଜିକ ସୁରକ୍ଷା ଓ ଏମଏସଏମଇ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଆସନ୍ତା ବର୍ଷ ପଞ୍ଚାୟତ ଏବଂ ପରବର୍ତ୍ତୀ ସମୟରେ ପୌର ନିର୍ବାଚନ ଥିବାରୁ ଚଳିତ ବର୍ଷର ବଜେଟ୍ ଅର୍ଥ ବ୍ୟୟକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ସାମାଜିକ ଓ ବିକାଶମୂଳକ କ୍ଷେତ୍ରରେ ଅଧିକ ବ୍ୟୟ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ନଜର ରହିଛି।
ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ବଜେଟ୍ ବ୍ୟୟରେ ବୃଦ୍ଧି ରାଜ୍ୟ ସରକାରଙ୍କ ବିକାଶମୂଳକ ଖର୍ଚ୍ଚକୁ ସ୍ପଷ୍ଟ କରୁଛି। ଆଗାମୀ ମାସଗୁଡ଼ିକରେ ବିଭିନ୍ନ ବିଭାଗ କେତେ ଦ୍ରୁତ ଭାବେ ବଜେଟ୍ ବ୍ୟବହାର କରୁଛନ୍ତି, ତାହା ଉପରେ ରହିବ ସମସ୍ତଙ୍କ ନଜର।
- Trending




