ବର୍ଷେ ଯାଏଁ ପନିର ବନ୍ଦ !

ପନିର ଖାଉଥିବା ଲୋକଙ୍କ ପାଇଁ ବଡ଼ ଖବର। କର୍ଣ୍ଣାଟକ ସରକାର ନନ୍‌-ଡେରୀ ବା ଆନାଲଗ୍‌ ପନିର ଉପରେ ଏକ ବର୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଛନ୍ତି। ରାଜ୍ୟର ଫୁଡ୍‌ ସେଫ୍ଟି ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ କହିଛି, ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ବିଭାଗର ନୋଟିଫିକେସନ୍‌ ଅନୁସାରେ, ‘ପନିର’ ନାମରେ ବିକ୍ରି ହେଉଥିବା ନନ୍‌-ଡେରୀ କିମ୍ବା ଆନାଲଗ୍‌ ପନିରର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକିଂ, ମହଜୁଦ, ପରିବହନ, ବଣ୍ଟନ ଏବଂ ବିକ୍ରି ଉପରେ ରୋକ୍‌ ଲଗାଯାଇଛି। ଏହି ପ୍ରତିବନ୍ଧ ଆସନ୍ତା ବର୍ଷ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଜାରି ରହିବ।

ନିୟମ ଅନୁସାରେ, ପନିର ହେଉଛି କ୍ଷୀରରୁ ପ୍ରସ୍ତୁତ ଏକ ମାନକୀକୃତ ଖାଦ୍ୟ। ପନିରରେ କ୍ଷୀରର ଫ୍ୟାଟ୍‌ ଏକ ମୁଖ୍ୟ ଉପାଦାନ। କିନ୍ତୁ କ୍ଷୀରର ଉପାଦାନ ବଦଳରେ ଭେଜିଟେବଲ୍‌ ଅଏଲ୍‌, ଭେଜିଟେବଲ୍‌ ଫ୍ୟାଟ୍‌ କିମ୍ବା ଅନ୍ୟ ନନ୍‌-ଡେୟରୀ ଉପାଦାନ ବ୍ୟବହାର କରି ତିଆରି ହେଉଥିବା ଉତ୍ପାଦକୁ ଆନାଲଗ୍‌ ପନିର କୁହାଯାଏ।

ତେବେ ଏଠାରେ ଏକ ରୋଚକ କଥା ମଧ୍ୟ ସାମ୍ନାକୁ ଆସିଛି। କର୍ଣ୍ଣାଟକ ସରକାର କହିଛନ୍ତି ଯେ ଅନେକ ପନିର ନମୁନା ପରୀକ୍ଷା କରାଯାଇଥିଲା ଏବଂ ଭେଜିଟେବଲ୍‌ ଅଏଲ୍‌ କିମ୍ବା ଭେଜିଟେବଲ୍‌ ଫ୍ୟାଟ୍‌ ମିଶାଇ ପନିରରେ ଅପମିଶ୍ରଣ ହୋଇଥିବା ମାମଲା ମିଳିନଥିଲା। ତଥାପି ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ନିଷେଧାଦେଶ ଜାରି କରାଯାଇଛି।

ତେବେ ସମସ୍ତ ପନିର କିମ୍ବା ସମସ୍ତ ଡେୟରୀ ଉତ୍ପାଦ ଉପରେ ଏହି ନିୟମ ଲାଗୁ ହେବ ନାହିଁ। FSSAI ପକ୍ଷରୁ ପୂର୍ବରୁ ମାନକ ନିର୍ଦ୍ଧାରିତ ଥିବା ଫ୍ରୋଜେନ୍‌ ଡେଜର୍ଟ, ପ୍ରୋସେସ୍‌ଡ୍‌ ଚିଜ୍‌ ଏବଂ ମିକ୍ସଡ୍‌ ଫ୍ୟାଟ୍‌ ସ୍ପ୍ରେଡ୍‌ ଭଳି ଉତ୍ପାଦ ଏହି ନିଷେଧର ଅଧୀନରେ ଆସିବ ନାହିଁ।