ରାତିରେ ବିପଦ , ଏଇଠି ମାଡ଼ ହେବ ବାତ୍ୟା !

ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। କୋରାପୁଟ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି। ଗଭୀର ଅବପାତ ରାୟଗଡ଼ା ଓ କୋରାପୁଟ ଦେଇ ଅତିକ୍ରମ କରି ଆଜି ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ ମୁହାଁ ହେବା ନେଇ ସୂଚନା ଦିଆଯାଇଛି।ସମ୍ଭାବ୍ୟ ପରିସ୍ଥିତିକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ। ଦୁଇ ଦିନ ତଳେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଥିବା ବେଳେ, ଏନ୍‌ଡିଆରଏଫ୍‌ ସହ ବିଭିନ୍ନ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଏହାସହ ୯ଟି ଅତିରିକ୍ତ ଟିମ୍ ଛତ୍ରପୁରରେ ପ୍ରସ୍ତୁତ ରହିଛନ୍ତି।

ଗଜପତି ଜିଲ୍ଲାରେ ପ୍ରାୟ ୧୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ବର୍ଷାର ସମ୍ଭାବନା ଥିବା ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାରକାରୀ ଟିମ୍‌ଗୁଡ଼ିକୁ ସଜାଗ ରଖାଯାଇଛି।କୋରାପୁଟରେ ରହି ମନ୍ତ୍ରୀ ରବି ନାଏକ ସ୍ଥିତିର ତଦାରଖ କରିବେ। ସେହିପରି ଗଜପତିରେ ରହି ପରିସ୍ଥିତି ଉପରେ ନଜର ରଖିବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସମ୍ଭାବ୍ୟ ବିପର୍ଯ୍ୟୟକୁ ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ରହିଛି। ଏହାସହ ଅରେଞ୍ଜ ଓ ରେଡ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡ଼ିକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

ତେବେ ଗଭୀର ଅବପାତର ପ୍ରଭାବ ଧୀରେ ଧୀରେ କମିବା ସହ ୨୫ ତାରିଖ ପରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ବେଳେ, ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।