ଲଗାଣ ବର୍ଷାରେ ବନ୍ୟା ବିତ୍ପାତ !

ଲଗାଣ ବର୍ଷା ପରେ ଏବେ ବନ୍ୟା ପାଣିରେ ବେହାଲ୍‌ ହୋଇପଡ଼ିଛି ଓଡ଼ିଶା । ଗୋଟିଏ ପଟେ ନଦୀର ଜଳସ୍ତର ବଢ଼ୁଛି, ଅନ୍ୟପଟେ ଘାଇ ଭାଙ୍ଗି ଗାଁ ଭିତରକୁ ପଶୁଛି ବନ୍ୟାପାଣି । ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଯାଇଛି । କେନ୍ଦୁଝର ପାଟଣାର ପରମେଶ୍ୱର ମହାଦେବ ମନ୍ଦିର ଜଳମଗ୍ନ ହୋଇଥିବା ବେଳେ, ଯାଜପୁର ଦଶରଥପୁରରେ ପୁଣି ଘାଇ ସୃଷ୍ଟି ହୋଇଛି । ବରୀରେ ମଧ୍ୟ ଘାଇବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ପଶିଛି । ଆଉ ଏସବୁ ଭିତରେ ବାଲେଶ୍ୱର ବସ୍ତାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର ।

ବସ୍ତା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି ଜଳକା ନଦୀ । ମଥାନୀ ଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଦୀର୍ଘ ୪ ଦିନ ଧରି ଜଳକା ନଦୀର ବନ୍ୟାପାଣି ବିପଦ ସଙ୍କେତ ଉପରେ ରହିଥିବାରୁ ଅନେକ ଗାଁରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବହୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ, ଅନେକ ଗାଁ ଏବେବି ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି । ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଆଗକୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ମଧ୍ୟ ରହିଛି ।

ଆଉ ଏହି ବନ୍ୟା ସ୍ଥିତି ଭିତରେ ବସ୍ତାରୁ ଆସିଛି ଛାତିଥରା ଖବର । ରାତିରେ ଶୋଇଥିବା ବେଳେ ମାଟି କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ଘଟିଛି । ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ରାଧିକା ଜେନା ଓ ଜ୍ୟୋତି ପ୍ରକାଶ ସ୍ୱାଇଁ । ଗୁରୁତର ନାତୁଣୀ ସ୍ମୃତି ରେଖା ସ୍ୱାଇଁଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନେତୁଆ ପଞ୍ଚାୟତର କପାସୁଦା ଗାଁର । ଦୀର୍ଘ ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ସ୍ୱର୍ଗତ ନରେନ୍ଦ୍ର ଜେନାଙ୍କ ମାଟି ଘରଟି ପାଣି ଘେରରେ ରହିଥିଲା । ରବିବାର ରାତିରେ ପରିବାର ଖାଇପିଇ ଶୋଇଥିବା ବେଳେ ପ୍ରାୟ ରାତି ୧୨ଟା ସମୟରେ ହଠାତ୍‌ ମାଟି କାନ୍ଥଟି ଆଈ, ନାତି ଓ ନାତୁଣୀଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ତିନିଜଣ ଯାକ କାନ୍ଥ ତଳେ ଚାପି ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାଟି ତଳୁ ତିନିଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ସେତେବେଳକୁ ରାଧିକା ଜେନା ଓ ଜ୍ୟୋତି ପ୍ରକାଶ ସ୍ୱାଇଁଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର ସ୍ମୃତି ରେଖାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ ନିଆଯାଇଛି । ଏହି ଘଟଣା ପରେ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ, ଦୀର୍ଘ ଦିନ ଧରି ବର୍ଷାପାଣି ଜମି ରହିଥିଲେ ମଧ୍ୟ ଠିକ୍‌ ଭାବେ ପାଣି ନିଷ୍କାସନ ହୋଇନଥିଲା । ଫଳରେ ମାଟି ଘର ଦୁର୍ବଳ ହୋଇ ଏଭଳି ଅଘଟଣ ଘଟିଥିବା ସେମାନେ କହିଛନ୍ତି । ଏବେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଏବଂ ଗୁରୁତର ନାତୁଣୀଙ୍କ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଦାବି ହୋଇଛି ।

ଏପଟେ କେନ୍ଦ୍ରାପଡ଼ାର ବିଭିନ୍ନ ତଳିଆ ଅଞ୍ଚଳରେ ମଧ୍ୟ ବନ୍ୟା ଆଶଙ୍କା ବଢ଼ିଛି । ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ନଦୀନାଳର ଜଳସ୍ତର ଉପରେ ନଜର ରଖାଯାଇଛି । ଅନ୍ୟପଟେ ଯାଜପୁର, ବରୀ ଓ ବାଲେଶ୍ୱରର ବନ୍ୟା ପରିସ୍ଥିତି ମଧ୍ୟ ଚିନ୍ତା ବଢ଼ାଇଛି । ଏବେ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଓ ରିଲିଫ୍‌ ବ୍ୟବସ୍ଥା ଉପରେ ରହିଛି ସମସ୍ତଙ୍କ ନଜର ।