ସରକାରୀ ଚାକିରି ପାଇଁ ଏଣିକି ୩ ସର୍ତ୍ତ! ନ ମାନିଲେ ଚାକିରି ନାହିଁ

ସରକାରୀ ଚାକିରିକୁ ନେଇ ବଡ଼ ନିଷ୍ପତ୍ତି ।ଏଣିକି ସରକାରୀ ଚାକିରି ପାଇଁ ମାନିବାକୁ ପଡ଼ିବ ୩ଟି ବଡ଼ ସର୍ତ୍ତ । ଏହି ୩ ସର୍ତ୍ତ ପୂରଣ ନକଲେ ମିଳିବନି ସରକାରୀ ଚାକିରି । ୧୯୯୧ରୁ ଚାଲିଆସୁଥିବା ୮୦:୨୦ କୋଟା ବ୍ୟବସ୍ଥାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ନୂଆ ନିୟମରେ ସ୍ଥାନୀୟ ବାସିନ୍ଦା, APST ମାନ୍ୟତା ଏବଂ ସ୍ଥାନୀୟ ଜନଜାତି ଭାଷା ଜ୍ଞାନକୁ ଦିଆଯାଇଛି ଗୁରୁତ୍ୱ । ହଁ ଆଂଜ୍ଞା ଅରୁଣାଚଳ ପ୍ରଦେଶରେ ସରକାରୀ ଚାକିରି ନିଯୁକ୍ତିକୁ ନେଇ ଆସିଛି ବଡ଼ ପରିବର୍ତ୍ତନ ।

ଏଣିକି ସରକାରୀ ପଦର ସିଧାସଳଖ ନିଯୁକ୍ତିରେ ସମାନ ଯୋଗ୍ୟତା ନିୟମ ଲାଗୁ ହେବ । ହେଲେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ପୂରଣ କରିବାକୁ ପଡ଼ିବ ୩ଟି ମୁଖ୍ୟ ସର୍ତ୍ତ । ପ୍ରାର୍ଥୀଙ୍କ ପାଖରେ ରହିବା ଦରକାର ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଅର୍ଥାତ୍ PRC । ଅରୁଣାଚଳ ପ୍ରଦେଶର ଅତିକମ୍‌ରେ ଗୋଟିଏ ସ୍ୱଦେଶୀ ଜନଜାତି ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ । ଅର୍ଥାତ୍ PRC, APST ମାନ୍ୟତା ଏବଂ ସ୍ଥାନୀୟ ଜନଜାତି ଭାଷା — ଏହି ୩ଟି ନିୟମ ଏଣିକି ସରକାରୀ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ହେବ ।

ପୂର୍ବରୁ ୮୦ ପ୍ରତିଶତ ସରକାରୀ ପଦ APST ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହୁଥିଲା । ଆଉ ବାକି ୨୦ ପ୍ରତିଶତ ପଦ ଅନ୍ୟ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୋଲା ରହୁଥିଲା । ହେଲେ ଏବେ ଏହି ୮୦:୨୦ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ନୂଆ ନିୟମ ତୁରନ୍ତ ଲାଗୁ ହେବ ଏବଂ Group A, Group B ଓ Group C ସମେତ ସମ୍ପୃକ୍ତ ସରକାରୀ ପଦରେ ଏହା ପ୍ରଯୁଜ୍ୟ ହେବ । ଏହାସହ ନିଯୁକ୍ତି ପରେ ମଧ୍ୟ ଭାଷା ପରୀକ୍ଷାର ବ୍ୟବସ୍ଥା ରହିବ ।

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି, ଅରୁଣାଚଳବାସୀଙ୍କ ସେବା କରିବାକୁ ହେଲେ ସେମାନଙ୍କ ଅତିକମ୍‌ରେ ଗୋଟିଏ ଭାଷା ଜାଣିବା ଆବଶ୍ୟକ । ସରକାରଙ୍କ ଏହି ନିଷ୍ପତ୍ତି ପରେ ସରକାରୀ ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦା ଏବଂ ଜନଜାତି ମାନଦଣ୍ଡକୁ ଆହୁରି ଗୁରୁତ୍ୱ ମିଳିବ ବୋଲି କୁହାଯାଉଛି । ତେବେ ନୂଆ ନିୟମ ଲାଗୁ ହେବା ପରେ ଅରୁଣାଚଳ ପ୍ରଦେଶର ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟାରେ କଣ ପ୍ରଭାବ ପଡ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।