ସୁଜାତାଙ୍କ ବଡ଼ ବୟାନ, ଯୁବଶକ୍ତି ଉପରେ ରହିଛି ଭରସା

ଆଜିର ଯୁବପିଢ଼ି… ଆସନ୍ତାକାଲିର ଭାରତ । ଦେଶର ଭବିଷ୍ୟତ ଗଢ଼ିବାରେ ଯୁବଶକ୍ତିର ଭୂମିକା ସବୁଠାରୁ ବଡ଼ । ଆଉ ଏହି ଯୁବଶକ୍ତି ଭିତରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି GEN-Z । ଡିଜିଟାଲ ଯୁଗରେ ବଢ଼ିଥିବା ଏହି ପିଢ଼ିର ଚିନ୍ତାଧାରା ଅଲଗା… କାମ କରିବାର ଶୈଳୀ ଅଲଗା… ଆଉ ସମାଜ ଓ ଦେଶକୁ ଦେଖିବାର ଦୃଷ୍ଟିକୋଣ ମଧ୍ୟ ଅନେକ କ୍ଷେତ୍ରରେ ଭିନ୍ନ ।
ତେବେ ଏହି GEN-Zକୁ ନେଇ ଏବେ ଓଡ଼ିଶାରେ ଚର୍ଚ୍ଚା । କାରଣ ଗୋଟିଏ ପଟେ GEN-Zକୁ ଦେଶର ଭବିଷ୍ୟତ ବୋଲି କହି ଯୁବପିଢ଼ିଙ୍କ ଉପରେ ଭରସା ଓ ଗର୍ବ ପ୍ରକାଶ କରିଛନ୍ତି ସୁଜାତା କାର୍ତ୍ତିକେୟନ ।

ଅନ୍ୟପଟେ ଯୁବପିଢ଼ିଙ୍କୁ ନେଇ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଶାର GEN-Z ଯୁବଶକ୍ତିଙ୍କୁ ବାହ୍ୟ ଓ ବିଦେଶୀ ଶକ୍ତିଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାର କେନ୍ଦ୍ରରେ ରହିଛି ଡିଜିଟାଲ ଯୁଗ । କାରଣ ଆଜିର GEN-Z ହାତରେ ରହିଛି ସ୍ମାର୍ଟଫୋନ୍… ଆଖି ସାମ୍ନାରେ ରହିଛି ସୋସିଆଲ ମିଡିଆ… ଆଉ ଗୋଟିଏ କ୍ଲିକ୍‌ରେ ଦେଶ ବାହାରର ଖବର, ଚିନ୍ତାଧାରା ଓ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ସେମାନଙ୍କ ପାଖରେ ପହଞ୍ଚି ଯାଉଛି ।

ତେଣୁ ଯୁବପିଢ଼ିଙ୍କୁ କେବଳ ଆଗକୁ ବଢ଼ିବାର ସୁଯୋଗ ଦେଲେ ହେବନି… ସେମାନଙ୍କୁ ଭୁଲ୍ ଦିଗରୁ ମଧ୍ୟ ସୁରକ୍ଷିତ ରଖିବା ଦରକାର । ସୋସିଆଲ ମିଡିଆରେ ଆସୁଥିବା ପ୍ରତ୍ୟେକ ସୂଚନାକୁ ଆଖିବୁଜି ବିଶ୍ୱାସ ନକରିବା… ଭଲ ଓ ଖରାପ ମଧ୍ୟରେ ଫରକ ବୁଝିବା… ଏବଂ ଦେଶର ସ୍ୱାର୍ଥକୁ ସର୍ବୋପରି ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।