ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ଗୁଡ଼ି ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ଲାଗିଲା କଡ଼ା କଟକଣା । ଲାଲକିଲ୍ଲାରେ VIP-VVIP ମୁଭମେଣ୍ଟକୁ ନଜରରେ ରଖି ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ । ଅଗଷ୍ଟ ୧୫ରେ କୌଣସି ଅଘଟଣ, ଅରାଜକତା କିମ୍ବା ସୁରକ୍ଷାରେ ସାମାନ୍ୟତମ ତ୍ରୁଟି ଯେପରି ନହୁଏ, ସେଥିପାଇଁ 163 ଧାରା ଲାଗୁ ହୋଇଛି । କେବଳ ଏତିକି ନୁହେଁ, ଗୁଡ଼ି ଉଡ଼ାଇବା ସହ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ ଉଡ଼ାଇବା ଉପରେ ମଧ୍ୟ ରୋକ୍ ଲଗାଯାଇଛି ।

ଦିଲ୍ଲୀରେ ୮୦ତମ ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି । ଏହା ସହ ଗୁଡ଼ି ଉଡ଼ାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଏହି ଆଦେଶ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । କଣ୍ଟ୍ରୋଲ ରୁମ୍‌ରୁ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଉଥିବା ବେଳେ ପୋଲିସ କର୍ମଚାରୀମାନେ ମଧ୍ୟ କଡ଼ା ନିରୀକ୍ଷଣ କରୁଛନ୍ତି ।

ଦିଲ୍ଲୀ ମେଟ୍ରୋ ପକ୍ଷରୁ ମଧ୍ୟ ଗୁଡ଼ି ଉଡ଼ାଇବାକୁ ନେଇ ଆଡଭାଇଜରୀ ଜାରି କରାଯାଇଛି । DMRC ଲୋକଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏଲିଭେଟେଡ୍ ମେଟ୍ରୋ ଲାଇନ୍ ନିକଟରେ ଗୁଡ଼ି ନଉଡ଼ାଇବାକୁ ଅପିଲ୍ କରିଛି। ମେଟ୍ରୋର OHE ଲାଇନ୍‌ରେ ପ୍ରାୟ ୨୫,୦୦୦ ଭୋଲ୍ଟ ବିଦ୍ୟୁତ ପ୍ରବାହିତ ହୁଏ । ଗୁଡ଼ିର ସୂତା ଏହି ଲାଇନ୍‌ର ସଂସ୍ପର୍ଶରେ ଆସିଲେ ତାହା ଜୀବନ ପ୍ରତି ବିପଦଜନକ ହୋଇପାରେ ।