Blog
ହଟିବେ ଗୋରୁଗାଈ, କମିବ ଦୁର୍ଘଟଣା
. ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର । ଏଣିକି ଜାତୀୟ ରାଜପଥ ଉପରେ ଆଉ ମନଇଚ୍ଛା ବୁଲିପାରିବେନି ଗୋରୁଗାଈ । ରାସ୍ତା ମଝିରେ ବୁଲୁଥିବା ଗୋରୁଙ୍କୁ ହଟାଇ ଗୋଶାଳାରେ ରଖିବାକୁ ନିଆଯିବ ବଡ଼ ପଦକ୍ଷେପ । ଦୁର୍ଘଟଣାର ଏକ ବଡ଼ କାରଣ ପାଲଟୁଥିବା ବୁଲା ଗୋରୁଙ୍କୁ ଏଣିକି ଜାତୀୟ ରାଜପଥରୁ ହଟାଯିବ । ଆଉ ଏଥିପାଇଁ ରାସ୍ତା କଡ଼ରେ କିମ୍ବା ନିର୍ଦ୍ଦିଷ୍ଟ ଦୂରତାରେ ନିର୍ମାଣ କରାଯିବ ଗୋଶାଳା ।
ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ବୁଲା ଗୋରୁଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବିଶେଷକରି ରାତି ସମୟରେ ରାସ୍ତା ଉପରେ ଗୋରୁଗାଈ ବସିରହିବା କିମ୍ବା ହଠାତ୍ ଗାଡ଼ି ଆଗକୁ ଚାଲିଆସିବା ଫଳରେ ଚାଳକମାନେ ଗାଡ଼ି ନିୟନ୍ତ୍ରଣ ହରାଉଥିବା ଅଭିଯୋଗ ରହିଛି । କେବଳ ଗାଡ଼ି ଚାଳକ ନୁହେଁ, ରାସ୍ତା ଉପରେ ବୁଲୁଥିବା ପଶୁମାନଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଛି । ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଏବେ ଗୋରୁଙ୍କୁ ରାଜପଥରୁ ହଟାଇ ଗୋଶାଳାରେ ରଖିବାକୁ ଯୋଜନା କରିଛନ୍ତି ।
ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କହିବା ଅନୁସାରେ, ଜାତୀୟ ରାଜପଥରେ ଗୋରୁଗାଈ ବୁଲିବାକୁ ରୋକିବା ସହ ଦୁର୍ଘଟଣା ହ୍ରାସ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ରାଜପଥରୁ ପଶୁମାନଙ୍କୁ ସ୍ଥାନାନ୍ତର କରାଯାଇ ନିରାପଦ ସ୍ଥାନରେ ରଖାଯିବ । ଏଥିପାଇଁ ଗୋଶାଳା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ । ରାଜପଥର ପ୍ରତି ୧୦୦ କିଲୋମିଟର ମଧ୍ୟରେ ଗୋଶାଳା ନିର୍ମାଣ କରାଯିବା ନେଇ ଯୋଜନା ରହିଥିବା ସେ କହିଛନ୍ତି ।
- Trending




