Blog
ହେବନି ରିଙ୍ଗ ସେରିମୋନି! କି ହଳଦୀ ଓ ମେହେନ୍ଦି ?
ବିବାହ… ଦୁଇଟି ମନର ମିଳନ, ଦୁଇଟି ପରିବାରର ସମ୍ପର୍କ ଏବଂ ଏକ ନୂଆ ଜୀବନର ଆରମ୍ଭ ।ହେଲେ ଆଜିକାଲି ବିବାହ କେବଳ ଏକ ପବିତ୍ର ବନ୍ଧନ ହୋଇ ରହିନାହିଁ । ବିବାହ ଉତ୍ସବରେ ଆଡ଼ମ୍ବର, ଦେଖାଦେଖି ଓ ଅଯଥା ଖର୍ଚ୍ଚ ଯେମିତି ଏକ ପ୍ରତିଯୋଗିତାରେ ପରିଣତ ହୋଇଛି । ରିଙ୍ଗ ସେରିମୋନିଠାରୁ ଆରମ୍ଭ କରି ପ୍ରି-ୱେଡିଂ ଫଟୋଶୁଟ୍, ଡିଜେ ନାଇଟ୍, ହଳଦୀ, ମେହେନ୍ଦି ଏବଂ ବିଶାଳ ବରଯାତ୍ରୀ… ସବୁଥିରେ ଖର୍ଚ୍ଚର ତାଲିକା ଲମ୍ବା ।ଆଉ ଏହି ଆଡ଼ମ୍ବରପୂର୍ଣ୍ଣ ବିବାହ ପରମ୍ପରାକୁ ନେଇ ଏବେ ଆସିଛି ଏକ ବଡ଼ ସାମାଜିକ ବାର୍ତ୍ତା ।
ସମ୍ବଲପୁରରେ ଆୟୋଜିତ ହୋଇଥିଲା ନିଖିଳ ଉତ୍କଳ ଚାଷ ସମାଜର କାର୍ଯ୍ୟକାରିଣୀ ବୈଠକ ।ଏହି ବୈଠକରେ ଆଡ଼ମ୍ବରପୂର୍ଣ୍ଣ ବିବାହ ଏବଂ ଏହା ଯୋଗୁଁ ପରିବାର ଉପରେ ପଡ଼ୁଥିବା ଆର୍ଥିକ ବୋଝକୁ ନେଇ ହୋଇଥିଲା ବିସ୍ତୃତ ଆଲୋଚନା ।ବିବାହ ପୂର୍ବ ଫଟୋଶୁଟ୍ଠାରୁ ଆରମ୍ଭ କରି ରିଙ୍ଗ ସେରିମୋନି, ଡିଜେ ନାଇଟ୍, ହଳଦୀ ଓ ମେହେନ୍ଦି ଉତ୍ସବ, ବିଶାଳ ବରଯାତ୍ରୀ ଏବଂ ବିବାହ ସମୟରେ ମଦ୍ୟପାନ ଭଳି ଅନେକ ପ୍ରଥାକୁ ଏଡ଼ାଇବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।
ତେବେ ଏହାର ଅର୍ଥ ପରମ୍ପରାକୁ ଛାଡ଼ି ଦେବା ନୁହେଁ । ବରଂ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି, ଅଯଥା ଖର୍ଚ୍ଚକୁ ଏଡ଼ାଇ ସରଳ ଭାବେ ବିବାହ ଆୟୋଜନ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।ଆଉ ଏହି ବାର୍ତ୍ତାକୁ ନେଇ ‘ନିଖିଳ ଉତ୍କଳ ଚାଷ ସମାଜ’ ଆରମ୍ଭ କରିଥିବା ଏହି ସଚେତନତା ଅଭିଯାନ ଆଗାମୀ ଦିନରେ କେତେଦୂର ସାମାଜିକ ପରିବର୍ତ୍ତନ ଆଣୁଛି, ତାହା ଉପରେ ରହିବ ନଜର ।
- Trending




