୨୩ରୁ ଓଡ଼ିଶାରେ ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପୁଣି ଓଡ଼ିଶା ଉପରେ ବର୍ଷାର ଭୟ। କାଲି ସୃଷ୍ଟି ହେବ ଲଘୁଚାପ। ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ।ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ କିମ୍ବା ୨୨ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇପାରେ।

ଏହା ପରେ ଲଘୁଚାପଜନିତ ପ୍ରଣାଳୀ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼, ପୂର୍ବ ଉତ୍ତରପ୍ରଦେଶ ଏବଂ ସଂଲଗ୍ନ ବିହାର ଆଡ଼କୁ ଅଗ୍ରସର ହୋଇପାରେ।ତେବେ ଅବପାତ ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ। ପାଣିପାଗ ବିଭାଗ ପକ୍ଷରୁ ସିଷ୍ଟମ୍‌ର ଗତିବିଧି ଉପରେ ନଜର ରଖାଯାଇଛି।

ଏପଟେ ୨୩ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି। ନୂଆ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ।ସେପଟେ ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ତେବେ ଲଘୁଚାପର ଗତିପଥ ଓ ଏହାର ତୀବ୍ରତା ଉପରେ ଏବେ ସମସ୍ତଙ୍କ ନଜର। ଆଗାମୀ ଦିନରେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା କେତେ ବଢ଼ିବ, ତାହା ନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନକୁ ଅପେକ୍ଷା।