Blog
ଟାର୍ଗେଟ୍ରେ ନେତା,ବଢ଼ୁଛି ହତ୍ୟା
ପୁଣି ରକ୍ତରଞ୍ଜିତ ହେଲା ଓଡ଼ିଶାର ରାଜନୀତି। କଳାହାଣ୍ଡି ଜିଲ୍ଲା ମଦନପୁର ରାମ୍ପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଡମକରଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବିଜେପିର ବରିଷ୍ଠ ନେତା ଫକୀର ରଣାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ଆସିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଫକୀର ରଣା ନିଜ ବାଇକ୍ରେ ଘରକୁ ଫେରୁଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପଛପଟେ ଥିବା ଏକ ନିଛାଟିଆ ରାସ୍ତାରେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମଦନପୁର ରାମ୍ପୁର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଫକୀର ରଣାଙ୍କ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼। ପରିବାର ଲୋକଙ୍କ ଅଭିଯୋଗ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଯାଇଛି। ତେବେ ପୋଲିସ ଏହି ଅଭିଯୋଗର ତଦନ୍ତ କରୁଛି ଏବଂ ଘଟଣାର ପ୍ରକୃତ କାରଣ ଖୋଜୁଛି।
କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ତତ୍ତ୍ୱାବଧାନରେ ପୋଲିସ ତଦନ୍ତ ଜୋରଦାର କରିଛି। ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଥିବା ବେଳେ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ତେବେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ହତ୍ୟାର ପ୍ରକୃତ କାରଣ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ଅନ୍ତିମ ସୂଚନା ଦିଆଯାଇନାହିଁ।
ଫକୀର ରଣାଙ୍କ ହତ୍ୟା ପରେ ରାଜ୍ୟର ପୂର୍ବରୁ ଘଟିଥିବା କିଛି ରାଜନୈତିକ ହିଂସା ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୨୦୨୬ ଜୁନ୍ରେ କେନ୍ଦ୍ରାପଡ଼ାରେ ବିଜେପି ବୁଥ୍ ସଭାପତି ତପନ ଦାସଙ୍କ ହତ୍ୟା, ୨୦୨୫ରେ ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଗୁଳିକାଣ୍ଡରେ ମୃତ୍ୟୁ, ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଏବଂ ଏହା ପୂର୍ବରୁ ଖୋର୍ଦ୍ଧାରେ ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାକୁ ନେଇ ରାଜନୈତିକ ତର୍କ ହୋଇଆସୁଛି।
ଏହି ଘଟଣା ପରେ ପୁଣି ଥରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି। ରାଜନୈତିକ ଦଳମାନେ ପରସ୍ପରକୁ ଦୋଷାରୋପ କରୁଥିବା ବେଳେ, ସାଧାରଣ ଲୋକଙ୍କ ଦାବି ହେଉଛି—ଦୋଷୀ ଯିଏ ବି ହେଉ, ତାଙ୍କ ବିରୋଧରେ ନିରପେକ୍ଷ ଓ କଠୋର କାର୍ଯ୍ୟାନୁଷ୍ଠାନ ହେଉ। କାରଣ ରାଜନୈତିକ ପରିଚୟ ନୁହେଁ, ଆଇନର ଶାସନ ହିଁ ଗଣତନ୍ତ୍ରର ମୂଳ ଭିତ୍ତି।
- Trending




