ସିଏମ୍ ବିଜୟଙ୍କ ହେବ ନାହିଁ ଛାଡ଼ପତ୍ର

ବିବାହ ବିଚ୍ଛେଦ ମାମଲାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଅଲଗା ହେବେନି ସଙ୍ଗୀତା-ବିଜୟ, | ୨୭ ବର୍ଷର ଦାମ୍ପତ୍ୟ ଜୀବନ… ଦୁଇ ସନ୍ତାନ… ଏବଂ ଦୀର୍ଘ ସମୟର ଏକ ସମ୍ପର୍କ। କିଛି ଦିନ ହେଲା ଏହି ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିଲା। ଥାଲାପତି ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ବିବାହ ବିଚ୍ଛେଦ ହୋଇପାରେ ବୋଲି ଅନେକ ଖବର ପ୍ରକାଶ ପାଇଥିଲା। ହେଲେ ଏବେ ସେହି ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି ଏକ ବଡ଼ ଖବର। ସଙ୍ଗୀତା ଛାଡ଼ପତ୍ର ପାଇଁ ଦାଖଲ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଥିବା ସୂଚନା ସାମ୍ନାକୁ ଆସିଛି।

ସଙ୍ଗୀତା ଅଭିଯୋଗ କରିଥିଲେ ଯେ, ବିଜୟଙ୍କର କଥିତ ଭାବେ ଅନ୍ୟ ଜଣଙ୍କ ସହ ସମ୍ପର୍କ ରହିଛି। ଏହାକୁ ନେଇ ସେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ। କିନ୍ତୁ ଏବେ ସେ ନିଜ ଛାଡ଼ପତ୍ର ଆବେଦନକୁ ଫେରାଇ ନେଇଛନ୍ତି।ଥାଲାପତି ବିଜୟ କେବଳ ଜଣେ ଲୋକପ୍ରିୟ ଅଭିନେତା ନୁହେଁ, ବରଂ ଏବେ ତାମିଲନାଡୁର ରାଜନୀତିର ମଧ୍ୟ ଏକ ଚର୍ଚ୍ଚିତ ଚେହେରା। ତେଣୁ ତାଙ୍କ ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ ଘଟଣା ସ୍ୱାଭାବିକ ଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

୧୯୯୯ ମସିହାରେ ବିଜୟ ଓ ସଙ୍ଗୀତା ବିବାହ କରିଥିଲେ। ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି। ଏତେ ବର୍ଷର ସମ୍ପର୍କ ପରେ ଛାଡ଼ପତ୍ର ଚର୍ଚ୍ଚା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା।ତେବେ ଏବେ ସାମ୍ନାକୁ ଆସିଥିବା ଘଟଣାକ୍ରମ ପରେ ଏକ କଥା ସ୍ପଷ୍ଟ—ଛାଡ଼ପତ୍ର ମାମଲା ଆଗକୁ ବଢ଼ୁନାହିଁ। ଏହାକୁ ନେଇ ଚାଲିଥିବା ଅନେକ ଚର୍ଚ୍ଚାରେ ମଧ୍ୟ କିଛିଟା ବିରାମ ଲାଗିଛି।ହେଲେ ଆଗାମୀ ଦିନରେ ଉଭୟଙ୍କ ପକ୍ଷରୁ କୌଣସି ସରକାରୀ ବୟାନ ଆସୁଛି କି ନାହିଁ, ଏବଂ ଏହି ପ୍ରସଙ୍ଗରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିବ।