Blog
ସାର ଷ୍ଟକ୍ ଭରପୂର! ଚାଷୀଙ୍କୁ ମିଳୁନି କାହିଁକି?
ସାରକୁ ନେଇ ଚାଷୀଙ୍କ ଚିନ୍ତା ଭିତରେ ସାମ୍ନାକୁ ଆସିଛି ସାର ଷ୍ଟକ୍ର ଚିତ୍ର । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ଏଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି ।ସେହିପରି ୧୪୨୬ ଟନ୍ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍ ସାର ଷ୍ଟକ୍ ରହିଥିବା ସୂଚନା ମିଳିଛି ।ଅର୍ଥାତ୍ ଚାଷୀଙ୍କ ଆବଶ୍ୟକତାକୁ ଦେଖି ସାର ଯୋଗାଣ ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ତେବେ କେବଳ ସାର ମହଜୁଦ ରହିଲେ ହେବ ନାହିଁ । ଚାଷୀଙ୍କ ନିକଟରେ ସାର ଠିକ୍ ସମୟରେ ଏବଂ ଠିକ୍ ଦରରେ ପହଞ୍ଚିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।କାରଣ ଚାଷ ସମୟରେ ସାରର ଚାହିଦା ବଢ଼ିଲେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବାର ଆଶଙ୍କା ରହିଥାଏ । ସାରର କଳାବଜାରୀ, ଅଧିକ ଦାମରେ ବିକ୍ରି କିମ୍ବା ନକଲି ସାର ବିକ୍ରି ଭଳି ଅଭିଯୋଗ ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଥାଏ ।ଏହାକୁ ରୋକିବା ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି କଡ଼ା ପଦକ୍ଷେପ ।
ସାରର କଳାବଜାରୀ ଉପରେ ନଜର । ନକଲି ସାର ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ।ରାଜ୍ୟ ଓ ଜିଲ୍ଲାସ୍ତରରେ ଗଠନ କରାଯାଇଛି ଏନ୍ଫୋର୍ସମେଣ୍ଟ ଟିମ୍ । ବିଭିନ୍ନ ସ୍ଥାନରେ ଏହି ଟିମ୍ ପକ୍ଷରୁ ଯାଞ୍ଚ କରାଯାଉଛି । ସାର ବିକ୍ରି କରୁଥିବା ଦୋକାନ, ଡିଲର ଓ ଯୋଗାଣ ବ୍ୟବସ୍ଥା ଉପରେ ନଜର ରଖାଯାଉଛି ।ଚାଷୀଙ୍କୁ ଯେପରି ନିର୍ଦ୍ଧାରିତ ଦରରେ ସାର ମିଳିପାରିବ, ସେଥିପାଇଁ ଗୁରୁତ୍ୱ ଦିଆଯାଉଛି । କେଉଁଠି ଅଧିକ ଦରରେ ସାର ବିକ୍ରି ହେଉଛି କି? କେଉଁଠି ସାରକୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି କି? ନକଲି ସାର ଚାଷୀଙ୍କୁ ବିକ୍ରି କରାଯାଉଛି କି? ଏସବୁ ଦିଗ ଉପରେ ନଜର ରଖୁଛି ଏନ୍ଫୋର୍ସମେଣ୍ଟ ଟିମ୍ ।
ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି—ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଇବା ଉପରେ ରହିଛି ବିଶେଷ ଗୁରୁତ୍ୱ ।କଳାବଜାରୀ କରୁଥିବା ବ୍ୟବସାୟୀ ହୁଅନ୍ତୁ କି ନକଲି ସାର ବିକ୍ରି କରୁଥିବା ବ୍ୟକ୍ତି—ଧରାପଡ଼ିଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।ତେବେ ଏଠି ଆଉ ଏକ ବଡ଼ ପ୍ରଶ୍ନ । ସରକାରୀ ତଥ୍ୟ ଅନୁସାରେ ସାରର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି । PACS ଏବଂ ଡିଲରମାନଙ୍କୁ ମଧ୍ୟ ସାର ଯୋଗାଇ ଦିଆଯାଇଛି । ତାହା ସତ୍ତ୍ୱେ ଯଦି କୌଣସି ଅଞ୍ଚଳରେ ଚାଷୀ ସାର ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଏହାର କାରଣ କଣ?ସାର ଷ୍ଟକ୍ ଥିବା ସତ୍ତ୍ୱେ ଚାଷୀଙ୍କ ନିକଟରେ ଏହା ଠିକ୍ ସମୟରେ ପହଞ୍ଚୁଛି କି ନାହିଁ, ତାହା ହିଁ ଏବେ ବଡ଼ ପ୍ରଶ୍ନ ।
- Trending




