ରେଭେନ୍ସାରେ ଥମୁନି ବିବାଦ । ହଷ୍ଟେଲ୍ ଦାୟିତ୍ୱ ନେବାକୁ ଅଧ୍ୟାପକଙ୍କ ନା !

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥମୁନି ଅଧ୍ୟାପକ-ବିଧାୟକ ବିବାଦ… ବିବାଦ ଏବେ ନୂଆ ମୋଡ଼ ନେଇଛି। ଅଧ୍ୟାପକଙ୍କ ସହ ବିଧାୟକଙ୍କ ବିବାଦ ପରେ ଏବେ ଏହାର ସିଧା ପ୍ରଭାବ ପଡ଼ିଛି ରେଭେନ୍ସାର ହଷ୍ଟେଲ୍ ପରିଚାଳନା ଉପରେ। ହଷ୍ଟେଲ୍‌ର ୱାର୍ଡେନ୍, ଡେପୁଟି ୱାର୍ଡେନ୍ ଏବଂ ଚିଫ୍ ୱାର୍ଡେନ୍‌ମାନେ ଦାୟିତ୍ୱରେ ଯୋଗ ଦେଉନଥିବାରୁ ଏବେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଅଧ୍ୟାପକ ସଂଘ ନିଜ ଦାବିରେ ଅଡ଼ି ରହିଛି… ଅନ୍ୟପଟେ ହଷ୍ଟେଲ୍ ପରିଚାଳନାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। ଅଧ୍ୟାପକ ସଂଘ ସ୍ପଷ୍ଟ କରିଛି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ହଷ୍ଟେଲ୍ ଦାୟିତ୍ୱ ନେବେ ନାହିଁ। ଫଳରେ ଆଗକୁ ହଷ୍ଟେଲ୍ ପରିଚାଳନା କିଭଳି ଚାଲିବ, ତାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ରହିଛି ୧୩ଟି ହଷ୍ଟେଲ୍। ଏହି ହଷ୍ଟେଲ୍‌ଗୁଡ଼ିକରେ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ ରହୁଛନ୍ତି। ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ସମସ୍ୟା, ହଷ୍ଟେଲ୍‌ର ଶୃଙ୍ଖଳା, ରୁମ୍ ବଣ୍ଟନ ଏବଂ ବିଭିନ୍ନ ପରିଚାଳନାଗତ କାର୍ଯ୍ୟରେ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍‌ଙ୍କ ଭୂମିକା ରହିଥାଏ। ତେଣୁ ସେମାନେ ଦାୟିତ୍ୱରୁ ଦୂରେଇ ରହିଲେ ହଷ୍ଟେଲ୍ ବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା ରହିଛି। ଆଉ ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି… ରେଭେନ୍ସାରେ ଚାଲିଛି ନାମଲେଖା ପ୍ରକ୍ରିୟା। ନୂଆ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ଆଲଟମେଣ୍ଟ, ରୁମ୍ ବଣ୍ଟନ, ହଷ୍ଟେଲ୍ ସମସ୍ୟାର ସମାଧାନ ଏବଂ ଶୃଙ୍ଖଳା ରକ୍ଷା ଭଳି କାମ ଏବେ ଗୁରୁତ୍ୱପୂର୍ଣ୍ଣ। ଏଭଳି ସମୟରେ ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍‌ମାନେ ଦାୟିତ୍ୱ ନନେଲେ ନୂଆ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ବ୍ୟବସ୍ଥା କିଭଳି ହେବ, ତାକୁ ନେଇ ପ୍ରଶ୍ନ ଉଠିଛି।

() ତେବେ ଅଧ୍ୟାପକ ସଂଘର ଦାବି କ’ଣ? ସଂଘ କହିଛି, ଅଧ୍ୟାପକଙ୍କ ପ୍ରତି ଜନପ୍ରତିନିଧିଙ୍କ ବ୍ୟବହାରକୁ ନେଇ ସରକାର ଏକ ସ୍ପଷ୍ଟ ମାର୍ଗଦର୍ଶିକା ଆଣନ୍ତୁ। ଏହାସହ ଚିଫ୍ ୱାର୍ଡେନ୍‌ଙ୍କ ବିରୋଧରେ ବିଧାୟକ ବାଚସ୍ପତିଙ୍କୁ ଦେଇଥିବା ଅଭିଯୋଗ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ରହିଛି। ବିଶ୍ୱବିଦ୍ୟାଳୟର କୁଳପତି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଶୀଘ୍ର ସମାଧାନର ବାଟ ବାହାର କରିବେ ବୋଲି ଆଶା ରଖିଛି ଅଧ୍ୟାପକ ସଂଘ।ତେବେ ପ୍ରଶ୍ନ ହେଉଛି… ବିବାଦର ସମାଧାନ କେବେ ହେବ? ଅଧ୍ୟାପକମାନେ କେବେ ପୁଣି ହଷ୍ଟେଲ୍ ଦାୟିତ୍ୱ ନେବେ? ଆଉ ଏହି ବିବାଦ ଭିତରେ ୪ ହଜାର ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ବ୍ୟବସ୍ଥା କିଭଳି ଚାଲିବ? ଏବେ ସମସ୍ତଙ୍କ ନଜର ସେହି ଦିଗରେ।