Blog
ସୁନା ଦରରେ ପୁଣି ବଡ଼ ଝଟକା! ଗୋଟିଏ ଦିନରେ ୩୧୬୦ ଟଙ୍କା ବଢ଼ିଲା !
ସୁନା କିଣିବାକୁ ଯୋଜନା କରିଥିଲେ… ତା’ହେଲେ ଆଜିର ଦର ଜାଣିବା ନିହାତି ଜରୁରୀ। କାରଣ ଅଗଷ୍ଟ ଆରମ୍ଭରେ ଟିକେ ଶସ୍ତା ହୋଇଥିବା ସୁନା ଏବେ ପୁଣି ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଲଗାତାର କିଛି ଦିନ ଧରି ସୁନା ଦର ଉପରମୁହାଁ ହେଉଥିବା ବେଳେ ଦୁଇ ମାସ ପରେ ଏହା ଆଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।କେବଳ ସୁନା ନୁହେଁ… ରୁପା ଦର ମଧ୍ୟ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି। ଗୋଟିଏ ଦିନରେ କିଲୋ ପିଛା ରୁପା ଦର ୧୦ ହଜାର ଟଙ୍କା ବଢ଼ିଛି। ଫଳରେ ସୁନା ଓ ରୁପା କିଣିବାକୁ ଯାଉଥିବା ଗ୍ରାହକଙ୍କ ବଜେଟ୍ ବିଗିଡ଼ିବାରେ ଲାଗିଛି।
ତେବେ ସୁନା ଦର ବଢ଼ିବା ପଛରେ କ’ଣ ରହିଛି କାରଣ? ଅର୍ଥନୈତିକ ଅନିଶ୍ଚିତତା ଭିତରେ ନିବେଶକମାନେ ସୁନାକୁ ସୁରକ୍ଷିତ ନିବେଶ ବା ‘ସେଫ୍-ହେଭେନ୍’ ଆସେଟ୍ ଭାବେ ଦେଖୁଛନ୍ତି। ଫଳରେ ସୁନା ପ୍ରତି ଚାହିଦା ବଢ଼ୁଛି। ଏହାର ପ୍ରଭାବ ସିଧାସଳଖ ସୁନା ଦର ଉପରେ ପଡ଼ୁଛି। ଅନ୍ୟପଟେ ରୁପା ଦର ବୃଦ୍ଧି ପଛରେ କେବଳ ନିବେଶ ଚାହିଦା ନୁହେଁ, ଶିଳ୍ପ କ୍ଷେତ୍ରର ଚାହିଦା ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି। ଫଳରେ ବଜାରରେ ଉଭୟ ମୂଲ୍ୟବାନ ଧାତୁର ଦର ଉପରମୁହାଁ ହୋଇଛି।
ଆସନ୍ତୁ ଜାଣିବା ଆଜିର ସୁନା ଦର… ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଗୋଟିଏ ଦିନରେ ୩୧୬୦ ଟଙ୍କା ବଢ଼ି ୧ ଲକ୍ଷ ୫୫ ହଜାର ୧୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୨୯୦୦ ଟଙ୍କା ବଢ଼ି ୧ ଲକ୍ଷ ୪୨ ହଜାର ୨୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟ୍ ସୁନା ଦର ମଧ୍ୟ ବଢ଼ିଛି। ୧୦ ଗ୍ରାମ୍ ପିଛା ୨୩୭୦ ଟଙ୍କା ବୃଦ୍ଧି ସହ ୧ ଲକ୍ଷ ୧୬ ହଜାର ୩୫୦ ଟଙ୍କାରେ ପହଞ୍ଚିଛି ୧୮ କ୍ୟାରେଟ୍ ସୁନା।
ସେହିପରି . ଗତକାଲି କିଲୋ ପିଛା ରୁପା ଦର ଥିଲା ୨ ଲକ୍ଷ ୫୦ ହଜାର ଟଙ୍କା। ହେଲେ ଆଜି ଏଥିରେ ସିଧାସଳଖ ୧୦ ହଜାର ଟଙ୍କା ବୃଦ୍ଧି ହୋଇ ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗୋଟିଏ ଦିନରେ ରୁପା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।
- Trending




