Blog
୧୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ । ଚାଷୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍।
ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଓ ବର୍ଷା… ବଢ଼ାଇଛି ଚିନ୍ତା। ବନ୍ୟା ପାଣିରେ ଉବୁଟୁବୁ ଅନେକ ଅଞ୍ଚଳ। କେଉଁଠି ଘରେ ପଶିଛି ପାଣି, ତ ଆଉ କେଉଁଠି ଜଳମଗ୍ନ ହୋଇଛି ଚାଷଜମି। ରାସ୍ତାଘାଟଠୁ ଆରମ୍ଭ କରି ଜନଜୀବନ… ସବୁକିଛି ହୋଇଛି ପ୍ରଭାବିତ। ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖିଛି ରାଜ୍ୟ ପ୍ରଶାସନ।ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ରିପୋର୍ଟ ଆସିଛି। ୧୫୪ଟି ବ୍ଲକ୍ ଅଧୀନରେ ଥିବା ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨ ହଜାର ୮୫୫ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ସେହିପରି ସହରାଞ୍ଚଳର ୨୦୯ଟି ୱାର୍ଡରେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି।
ବନ୍ୟାର ଭୟାବହତାକୁ ଦେଖି ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତଙ୍କ ପାଇଁ ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ଏହି ରିଲିଫ୍ କ୍ୟାମ୍ପଗୁଡ଼ିକରେ ୭ ଲକ୍ଷ ୨୬ ହଜାର ୪୪୧ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୩୧ଟି ସ୍ଥାନରୁ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଣରେ ମଧ୍ୟ ଜୋର ଦିଆଯାଇଛି। ବନ୍ୟା ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୩୫୬.୩ କିଲୋଗ୍ରାମ ଗୁଡ଼ ଏବଂ ୮ ହଜାର ୭୦୮ଟି ପଲିଥିନ୍ ଯୋଗାଇ ଦିଆଯାଇଛି। ବିଭିନ୍ନ ଜିଲ୍ଲାର ରିଲିଫ୍ କାର୍ଯ୍ୟ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ୨୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଇଛି।
ତେବେ ବନ୍ୟାରେ ସବୁଠାରୁ ବଡ଼ କ୍ଷତି ହୋଇଛି ଚାଷୀଙ୍କର। ପାଣିରେ ବୁଡ଼ିଛି ହଜାର ହଜାର ହେକ୍ଟର ଚାଷଜମି। ପ୍ରାଥମିକ ଆକଳନ ଅନୁସାରେ ଏପର୍ଯ୍ୟନ୍ତ ୭୯ ହଜାର ୮୨୪ ହେକ୍ଟର ଚାଷଜମି ଏବଂ ୫ ହଜାର ୪୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ଆହୁରି କିଛି ଜିଲ୍ଲାରୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ବାକି ଥିବାରୁ ମୋଟ କ୍ଷୟକ୍ଷତିର ପରିମାଣ ଆହୁରି ବଢ଼ିପାରେ।ଏବେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଉପରେ ଫୋକସ୍ କରିଛନ୍ତି ସରକାର। ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ। ପନିପରିବା ଚାଷୀଙ୍କୁ ମଧ୍ୟ ମିଳିବ ଅତିରିକ୍ତ ସହାୟତା। କୃଷି, ସମବାୟ ଏବଂ ପଶୁସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତି ଚାଲିଛି।
- Trending




