Blog
ଆମ୍ବୁଲାନ୍ସ ବିଳମ୍ବ ହେଲେ ଜରିମାନା! ପ୍ରତି ମିନିଟ୍ରେ ଏତେ ଟଙ୍କା !
ଜାତୀୟ ରାଜପଥରେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ଆଉ ହେବନି ଅଯଥା ବିଳମ୍ବ। ଯାତ୍ରୀଙ୍କ ସୁରକ୍ଷା ଏବଂ ଆପାତକାଳୀନ ସେବାକୁ ଆହୁରି ଦ୍ରୁତ କରିବା ପାଇଁ NHAI ଆଣିଛି କଡ଼ା ନିୟମ। ଏଣିକି ଇମର୍ଜେନ୍ସି ଆଲର୍ଟ ମିଳିବା ପରେ ଆମ୍ବୁଲାନ୍ସ ସେବାରେ ବିଳମ୍ବ ହେଲେ ଦେବାକୁ ପଡ଼ିବ ଜରିମାନା। ଆଉ ବିଳମ୍ବ ଯେତେ ବଢ଼ିବ, ପେନାଲ୍ଟି ମଧ୍ୟ ସେହି ଅନୁସାରେ ବଢ଼ିବ। ନୂଆ ବ୍ୟବସ୍ଥା ଅନୁସାରେ, ଇମର୍ଜେନ୍ସି ଆଲର୍ଟ ମିଳିବା ପରେ ସର୍ବାଧିକ ଏକ ମିନିଟ୍ ମଧ୍ୟରେ ଆଲର୍ଟକୁ ଗ୍ରହଣ କରିବାକୁ ପଡ଼ିବ। ଯଦି ଏଥିରେ ବିଳମ୍ବ ହୁଏ, ତେବେ ପ୍ରତ୍ୟେକ ଅତିରିକ୍ତ ମିନିଟ୍ ପାଇଁ ୫ ହଜାର ଟଙ୍କା ଜରିମାନା ଲାଗିପାରେ। ସେହିପରି ଆଲର୍ଟ ଗ୍ରହଣ କରିବା ପରେ ଆମ୍ବୁଲାନ୍ସକୁ ସର୍ବାଧିକ ଦୁଇ ମିନିଟ୍ ମଧ୍ୟରେ ଘଟଣାସ୍ଥଳ ଅଭିମୁଖେ ବାହାରିବାକୁ ହେବ।
ଏଥିରେ ଶେଷ ନୁହେଁ। ଦୁର୍ଘଟଣା ଘଟିଥିବା ସ୍ଥାନରେ ଆମ୍ବୁଲାନ୍ସ କେତେ ସମୟ ମଧ୍ୟରେ ପହଞ୍ଚିଲା, ତାହା ମଧ୍ୟ ଟ୍ରାକ୍ କରାଯିବ। ଆମ୍ବୁଲାନ୍ସ ଥିବା ସ୍ଥାନଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ଘଟିଲେ, ସର୍ବାଧିକ ୧୦ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବାକୁ ହେବ। ଦୂରତା ବଢ଼ିଲେ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ପ୍ରତିକ୍ରିୟା ସମୟ ଧାର୍ଯ୍ୟ ହେବ। ଆଉ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ ରହିବ NHAIର କଡ଼ା ନଜର। GPS ଏବଂ NHAI Care Dashboard ଜରିଆରେ ଆମ୍ବୁଲାନ୍ସର ଗତିବିଧି ଏବଂ ରେସ୍ପନ୍ସ ଟାଇମ୍କୁ ଟ୍ରାକ୍ କରାଯିବ। ଅର୍ଥାତ୍ ଆମ୍ବୁଲାନ୍ସ କେଉଁଠି ଅଛି, କେବେ ଆଲର୍ଟ ମିଳିଲା ଏବଂ କେବେ ଘଟଣାସ୍ଥଳ ଅଭିମୁଖେ ବାହାରିଲା—ସବୁକିଛି ନଜରରେ ରହିବ।
ଦୁର୍ଘଟଣା ପରେ ପ୍ରଥମ ଏକ ଘଣ୍ଟାକୁ କୁହାଯାଏ ‘ଗୋଲ୍ଡେନ୍ ଆୱର୍’। ଏହି ସମୟ ମଧ୍ୟରେ ଆହତଙ୍କୁ ଯଥାଶୀଘ୍ର ଚିକିତ୍ସା ମିଳିଲେ ଜୀବନ ବଞ୍ଚାଇବାର ସମ୍ଭାବନା ବଢ଼ିଥାଏ। ତେଣୁ ଆମ୍ବୁଲାନ୍ସ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ମଧ୍ୟ ଅନେକ ସମୟରେ ଜୀବନ ପାଇଁ ବଡ଼ ବିପଦ ହୋଇପାରେ। ଏହି କାରଣରୁ NHAI ଆପାତକାଳୀନ ସେବାକୁ ନେଇ ଏଭଳି କଡ଼ା ପଦକ୍ଷେପ ନେଇଛି।
କେବଳ ଘଟଣାସ୍ଥଳରେ ପହଞ୍ଚିବା ନୁହେଁ, ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା ପାଇଁ ମଧ୍ୟ ସମୟସୀମା ରହିଛି। ଇମର୍ଜେନ୍ସି ଟିକେଟ୍ ଗ୍ରହଣ ହେବାର ଏକ ଘଣ୍ଟା ମଧ୍ୟରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ହେବ। ଏହି ସମୟସୀମା ଉଲ୍ଲଂଘନ ହେଲେ ଅତିରିକ୍ତ ୧୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି।
ସେହିପରି କୌଣସି ଇମର୍ଜେନ୍ସି ଟିକେଟ୍ ଗ୍ରହଣ କରିବାକୁ ମନା କଲେ ମଧ୍ୟ ୧୦ ହଜାର ଟଙ୍କା ପେନାଲ୍ଟି ଦେବାକୁ ପଡ଼ିପାରେ। ଏହି ନିୟମ କେବଳ ଆମ୍ବୁଲାନ୍ସ ସଂଚାଳକଙ୍କ ପାଇଁ ନୁହେଁ, ସମ୍ପୃକ୍ତ ଠିକାଦାରଙ୍କ ଉପରେ ମଧ୍ୟ ଜରିମାନା ଲାଗିପାରେ। ପୂର୍ବରୁ GPS ଠିକ୍ ଭାବେ କାମ ନକରିବା କିମ୍ବା ଅନେକ ଯାନ ଅଫଲାଇନ୍ ରହିବା ଯୋଗୁଁ ଆପାତକାଳୀନ ସେବାରେ ବିଳମ୍ବ ହେଉଥିବା ଅଭିଯୋଗ ରହିଥିଲା। ଏବେ ନୂଆ ଟ୍ରାକିଂ ବ୍ୟବସ୍ଥା ଜରିଆରେ ଏହା ଉପରେ ନଜର ରଖାଯିବ। NHAI Care ଆପ୍ କିମ୍ବା GPS ବ୍ୟବହାର ନକଲେ ପ୍ରତିଦିନ ୨ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।
- Trending




