ଉଛୁଳିଲା ବୁଢ଼ାବଳଙ୍ଗ | ଟ୍ରାକ୍ଟରରେ ବସି ସ୍ଥିତି ପରଖିଲେ ବିଧାୟକ |

ଉଛୁଳି ଉଠିଲା ନଦୀର ଜଳସ୍ତର। ଲଗାଣ ବର୍ଷା ସାଙ୍ଗକୁ ବନ୍ୟାଜଳର ପ୍ରଚଣ୍ଡ ପ୍ରଭାବରେ ବେତନଟୀ ବ୍ଲକ୍‌ର ନଦୀକୂଳିଆ ଅଞ୍ଚଳରେ ଦେଖାଦେଇଛି ଭୟାବହ ସ୍ଥିତି। ବ୍ଲକ୍‌ର ୧୬ଟି ପଞ୍ଚାୟତ ବନ୍ୟାର ପ୍ରଭାବରେ ରହିଥିବାବେଳେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। କେଉଁଠି ଚାଷଜମି ଜଳମଗ୍ନ, ତ ଆଉ କେଉଁଠି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ। ଫାଇଲିନ ବାତ୍ୟା ପରେ ବୁଢ଼ାବଳଙ୍ଗରେ ଏଭଳି ବଡ଼ ବନ୍ୟା ଦେଖିବାକୁ ମିଳିଥିବାରୁ ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି। ରାତି ବଢ଼ିବା ସହ ନଦୀର ଜଳସ୍ତର ବଢ଼ିଚାଲିଥିବାବେଳେ ସକାଳ ସୁଦ୍ଧା ବନ୍ୟାଜଳ ନଦୀକୂଳ ଅଞ୍ଚଳକୁ ବ୍ୟାପି ଯାଇଛି। ହେକ୍ଟର ହେକ୍ଟର ଚାଷଜମି ପାଣିରେ ବୁଡ଼ିଥିବାବେଳେ ଅନେକ ଗାଁର ରାସ୍ତାଘାଟରେ ବନ୍ୟାଜଳ ପଶିଛି।

ବନ୍ୟାର ସବୁଠାରୁ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି ନାଖରା ସେତୁ ନିକଟରେ। ବହୁ ପୁରୁଣା ଓ ଦୁର୍ବଳ ଏହି ସେତୁ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେବାରୁ ବ୍ୟସ୍ତବହୁଳ ବୈଶିଙ୍ଗା–ମାଣତ୍ରୀ–ଉଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାବେଳେ ଯାତାୟତକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଛି ଆଶଙ୍କା।ବନ୍ୟାଜଳର ଏଭଳି ଉଗ୍ରରୂପ ମଧ୍ୟରେ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି। ପରିସ୍ଥିତିର ଗୁରୁତ୍ୱକୁ ଦେଖି ଗତକାଲି ରାତିସାରା ଗ୍ରାଉଣ୍ଡରେ ରହି ବିଧାୟକ , ଜିଲ୍ଲାପାଳ ଓ ଏସ୍‌ପି ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ମଧ୍ୟାହ୍ନରେ ମଧ୍ୟ ବିପଦସଂକୁଳ ନାଖରା ସେତୁ ନିକଟକୁ ଯାଇ ଟ୍ରାକ୍ଟରରେ ବସି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବନ୍ୟାର ବାସ୍ତବ ସ୍ଥିତି ପରଖିବା ସହ ଉଦ୍ଧାର, ରିଲିଫ୍‌ ଓ ଜନସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ତେବେ ବୁଢ଼ାବଳଙ୍ଗର ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି କେତେ ଗମ୍ଭୀର ହେବ, ତାହାକୁ ନେଇ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏବେ ସମସ୍ତଙ୍କ ନଜର ବୁଢ଼ାବଳଙ୍ଗର ଜଳସ୍ତର ଉପରେ।