Blog
MMDR ବିଲ୍ରେ ୧ ଲକ୍ଷ କୋଟି କ୍ଷତି?
MMDR ବିଲ୍କୁ ନେଇ ତେଜିଲା ଓଡ଼ିଶା ରାଜନୀତି… ଖଣିଜ ସମ୍ପଦ ଓ ରାଜସ୍ୱକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ। ବିଲ୍ରେ ହୋଇଥିବା ସଂଶୋଧନକୁ ବିରୋଧ କରି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛି କଂଗ୍ରେସ। ଏନେଇ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧିମଣ୍ଡଳୀ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛି।
ରାଜ୍ୟପାଳଙ୍କୁ ଭେଟି MMDR ବିଲ୍ ନେଇ ନିଜ ଆପତ୍ତି ଜଣାଇଛି କଂଗ୍ରେସ।
ରାମଚନ୍ଦ୍ର କାଡାମଙ୍କ କହିବା ଅନୁସାରେ, MMDR ବିଲ୍ରେ ସରକାର କରିଥିବା ସଂଶୋଧନ ଓଡ଼ିଶାର ସ୍ୱାର୍ଥ ବିରୋଧୀ। ଏହି ସଂଶୋଧନ ଯୋଗୁଁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇବା ସହ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ବୋଲି ଦାବି କରିଛି କଂଗ୍ରେସ। ତେବେ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି।MMDR ଆଇନ ଯୋଗୁଁ ଓଡ଼ିଶାର କୌଣସି ଆର୍ଥିକ କ୍ଷତି ହେବ ନାହିଁ, ବରଂ ଖଣିଜ ସମ୍ପଦରୁ ରାଜ୍ୟ ସରକାର ଓ ସାଧାରଣ ଲୋକ ଅଧିକ ଲାଭ ପାଇବେ ବୋଲି କହିଛି ଦଳ।
ବିଜେପିର ଯୁକ୍ତି ହେଉଛି… ୨୦୧୫ର ଖଣିଜ ଆଇନ ପରେ ଓଡ଼ିଶାର ଖଣି ରାଜସ୍ୱରେ ବୃଦ୍ଧି ଘଟିଛି।ତେଣୁ MMDR ବିଷୟରେ ବିରୋଧୀ ଦଳ ଭୁଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ପାଲଟା ଅଭିଯୋଗ କରିଛି ବିଜେପି। ଏହାସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଏହି ଆଇନ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ ବୋଲି ଦାବି କରିଛି ଦଳ। ଗୋଟିଏ ପଟେ ଓଡ଼ିଶାକୁ ରାଜସ୍ୱ କ୍ଷତି ହେବ ବୋଲି କଂଗ୍ରେସର ଦାବି… ଅନ୍ୟପଟେ କୌଣସି କ୍ଷତି ହେବ ନାହିଁ ବୋଲି ବିଜେପିର ଯୁକ୍ତି।
ଆଉ ଏହାରି ଭିତରେ ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ରଖିଛି ସ୍ୱତନ୍ତ୍ର ଅଧିବେଶନ ଦାବି। ତେବେ MMDR ବିଲ୍କୁ ନେଇ ଆଗାମୀ ଦିନରେ ରାଜନୀତି କେତେ ତେଜ ହେଉଛି ଏବଂ ସରକାର ଏହି ଦାବି ଉପରେ କି ପଦକ୍ଷେପ ନେଉଛନ୍ତି, ତା’ଉପରେ ଏବେ ନଜର।
- Trending




