Blog
ମୋଦୀଙ୍କ ପାଇଁ ମନ୍ଦିର! ୧୨୦ କୋଟିରେ ହେବ ନିର୍ମାଣ
ଭାରତୀୟ ରାଜନୀତିରେ ନେତାଙ୍କ ପ୍ରତି ସମର୍ଥକଙ୍କ ଭଲପାଇବା ଓ ଭକ୍ତିର ଅନେକ ନିଆରା ଉଦାହରଣ ସାମ୍ନାକୁ ଆସିଛି । କେହି ନେତାଙ୍କ ନାଁରେ ଟାଟୁ କରନ୍ତି, ଆଉ କେହି ନିଜ ପ୍ରିୟ ନେତାଙ୍କୁ ଭଗବାନଙ୍କ ସହ ତୁଳନା କରନ୍ତି । ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ଜଣେ ରାଜନୈତିକ ନେତାଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ବିଶାଳ ମନ୍ଦିର । ଆଉ ଏହି ମନ୍ଦିରରେ ପୂଜା ପାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଘଟଣାଟି ବିହାର ରାଜଧାନୀ ପାଟଣା ସହ ଜଡ଼ିତ । ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନଙ୍କ ରୂପ ଭାବେ ଗ୍ରହଣ କରି ତାଙ୍କ ନାଁରେ ଏକ ବିଶାଳ ମନ୍ଦିର ନିର୍ମାଣ ପାଇଁ ଘୋଷଣା କରାଯାଇଛି । ଆଉ ଏହି ମନ୍ଦିର ନିର୍ମାଣରେ ପ୍ରାୟ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ଏହି ଘୋଷଣା ପରେ ଏହାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି ।
ମନ୍ଦିର ନିର୍ମାଣର ଆନୁଷ୍ଠାନିକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀର ପ୍ରେସ କ୍ଲବ ଅଫ୍ ଇଣ୍ଡିଆ ଭବନରେ ‘ନମଃ ଭାରତ’ ସଂସ୍ଥା ପକ୍ଷରୁ ଏକ ବିଶେଷ ଆୟୋଜନ କରାଯାଇଥିଲା । ଏଠାରେ ମୋଦୀଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା କରାଯିବା ସହ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରଚିତ ‘ଶ୍ରୀ ନରେନ୍ଦ୍ର ମୋଦୀ ଚାଳିଶା’ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ତେବେ ଏହି ସମ୍ପୂର୍ଣ୍ଣ ଆୟୋଜନ ଏବଂ ମନ୍ଦିର ନିର୍ମାଣ ପଛରେ ବିହାର କିନ୍ନର କଲ୍ୟାଣ ବୋର୍ଡର ଉପାଧ୍ୟକ୍ଷ ରାଜନ ସିଂହଙ୍କ ମୁଖ୍ୟ ଭୂମିକା ଥିବା ଜଣାପଡ଼ିଛି । ରାଜନ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ଶ୍ରୀରାମଙ୍କ ଅବତାର ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ, ବିହାରରେ କିନ୍ନର ସମାଜକୁ ସମ୍ମାନ ଓ ଅଧିକାର ଦେବାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଯୋଗଦାନ ରହିଛି । ଏହି କାରଣରୁ ତାଙ୍କ ପ୍ରତି କିନ୍ନର ସମାଜର ଭକ୍ତିଭାବ ରହିଥିବା ସେ କହିଛନ୍ତି ।
ହେଲେ ଏହି ଆୟୋଜନକୁ ନେଇ ଦିଲ୍ଲୀର ପ୍ରେସ କ୍ଲବ ଅଫ୍ ଇଣ୍ଡିଆ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି । ପ୍ରେସ କ୍ଲବ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ପର୍କରେ ସେମାନଙ୍କୁ ପୂର୍ବରୁ କୌଣସି ସୂଚନା ନଥିଲା । ଏହି ଆୟୋଜନ ସହ ପ୍ରେସ କ୍ଲବର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନଥିବା ମଧ୍ୟ ସ୍ପଷ୍ଟ କରାଯାଇଛି ।
ତେବେ ଜଣେ ପ୍ରଧାନମନ୍ତ୍ରୀଙ୍କ ନାଁରେ ୧୨୦ କୋଟି ଟଙ୍କାର ମନ୍ଦିର ନିର୍ମାଣ ଘୋଷଣା, ତା’ପୂର୍ବରୁ ‘ମୋଦୀ ଚାଳିଶା’ ପାଠ ଏବଂ ତାଙ୍କୁ ଭଗବାନ ଶ୍ରୀରାମଙ୍କ ଅବତାର ବୋଲି କହିବା—ଏସବୁକୁ ନେଇ ରାଜନୀତିଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚା ତେଜ ହୋଇଛି । ତେବେ ଏହି ମନ୍ଦିର ବାସ୍ତବରେ କେବେ ନିର୍ମାଣ ହେଉଛି ଏବଂ ଏହାର ରୂପ କିଭଳି ହେବ—ସେ ଉପରେ ଏବେ ସମସ୍ତଙ୍କ ନଜର ।
- Trending




