Blog
ମେଡିକାଲ୍ ଫାଇଲ୍କୁ ଟାଟା ! ଏଣିକି ଫୋନ୍ରେ ରହିବ ମେଡିକାଲ୍ ଫାଇଲ୍!
ଏଣିକି ଡାକ୍ତରଖାନା ଗଲେ ଆଉ ବୋହିବାକୁ ପଡ଼ିବନି ମୋଟା ମୋଟା ମେଡିକାଲ୍ ଫାଇଲ୍… ଖୋଜିବାକୁ ପଡ଼ିବନି ପୁରୁଣା ଟେଷ୍ଟ ରିପୋର୍ଟ । ଆଙ୍ଗୁଳି ଟିପରେ ମିଳିବ ଆପଣଙ୍କ ପୂରା ମେଡିକାଲ୍ ରେକର୍ଡ । କେଉଁ ରୋଗ ପାଇଁ କେଉଁ ଔଷଧ ନେଇଥିଲେ, କେଉଁ ଟେଷ୍ଟ କରିଥିଲେ… ସବୁ ରହିବ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ।ସ୍ୱାସ୍ଥ୍ୟସେବାକୁ ଆହୁରି ସହଜ ଓ ଡିଜିଟାଲ୍ କରିବା ପାଇଁ ଏବେ ବଡ଼ ପ୍ରସ୍ତୁତି । ଖୁବଶୀଘ୍ର ଓଡ଼ିଶା ସରକାର ଆଣିବାକୁ ଯାଉଛନ୍ତି ନୂଆ ଆପ୍ । ଏହା ସହ ଡିଜିଟାଲ୍ ପ୍ରେସ୍କ୍ରିପସନ୍ ଓ ଡିଜିଟାଲ୍ ହେଲ୍ଥ ରେକର୍ଡକୁ ମିଳିବ ଗୁରୁତ୍ୱ ।
ଓଡ଼ିଶା ଫାର୍ମାସୀ ଅଫିସର ସର୍ଭିସ ଆସୋସିଏସନର ବାର୍ଷିକ ସମ୍ମିଳନୀରେ ଏନେଇ ବଡ଼ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟସେବାରେ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ସହ ଡାକ୍ତରମାନେ ଡିଜିଟାଲ୍ ପ୍ରେସ୍କ୍ରିପସନ୍ ଦେବା ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।ଏପଟେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଅଧୀନରେ ଡିଜିଟାଲ୍ ସ୍ୱାସ୍ଥ୍ୟସେବାକୁ ଆହୁରି ବ୍ୟାପକ କରାଯାଉଛି । ଆରୋଗ୍ୟ ସେତୁ ୨.୦ ଭଳି ଡିଜିଟାଲ୍ ସୁବିଧା ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟକୁ ଡିଜିଟାଲ୍ ଭାବେ ସଂରକ୍ଷଣ ଓ ସେୟାର କରିବାର ସୁବିଧା ମିଳୁଛି ।
ଅର୍ଥାତ୍, ରୋଗୀଙ୍କ ମେଡିକାଲ୍ ରେକର୍ଡ ଯଦି ଡିଜିଟାଲ୍ ଭାବେ ଉପଲବ୍ଧ ରହିବ, ତେବେ ଅନ୍ୟ ଡାକ୍ତରଙ୍କ ପାଖକୁ ଗଲେ ପୁରୁଣା ରିପୋର୍ଟ ଖୋଜିବାର ଝଞ୍ଜଟ କମିବ । ଆବଶ୍ୟକ ତଥ୍ୟ ଉପଲବ୍ଧ ଥିଲେ ଅନାବଶ୍ୟକ ଭାବେ ସମାନ ଟେଷ୍ଟ ବାରମ୍ବାର କରିବାର ଆବଶ୍ୟକତା ମଧ୍ୟ କମିପାରେ । ତେବେ ଏହି ନୂଆ ଡିଜିଟାଲ୍ ବ୍ୟବସ୍ଥାର ଆଉ ଏକ ବଡ଼ ଦିଗ ହେଉଛି ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ନଜର । ଡାକ୍ତରଙ୍କ ପରାମର୍ଶ ନନେଇ ଆଣ୍ଟିବାୟୋଟିକ୍ ଖାଇବା ନେଇ ବାରମ୍ବାର ସଚେତନ କରାଯାଉଛି । ତେଣୁ କେଉଁ ଡାକ୍ତର, କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ୍ ଲେଖିଛନ୍ତି, ସେନେଇ ଡିଜିଟାଲ୍ ରେକର୍ଡ ରହିଲେ ନିୟମିତ ନଜର ରଖିବା ସହଜ ହୋଇପାରିବ ।
ଖାଲି ସେତିକି ନୁହେଁ… ଆପ୍ ମାଧ୍ୟମରେ ନିକଟରେ ଥିବା ମେଡିସିନ୍ ଷ୍ଟୋର, ଟେଷ୍ଟିଂ ସେଣ୍ଟର କିମ୍ବା ହସ୍ପିଟାଲ୍ ସମ୍ପର୍କରେ ମଧ୍ୟ ସୂଚନା ମିଳିବାର ସୁବିଧା ରହିପାରେ । ଫଳରେ ରୋଗୀଙ୍କ ପାଇଁ ଠିକ୍ ସ୍ଥାନରେ ଠିକ୍ ସମୟରେ ସ୍ୱାସ୍ଥ୍ୟସେବା ପାଇବା ଆହୁରି ସହଜ ହେବ ।
- Trending




