ନିଦ ଆସିଲେ ସିଟ୍ ହେବ ଭାଇବ୍ରେଟ୍ ! ଡ୍ରାଇଭରଙ୍କ ବଞ୍ଚାଇବ ଜୀବନ !

ଡ୍ରାଇଭରଙ୍କୁ ନିଦ ଲାଗିବା ପୂର୍ବରୁ ବୁଝିଯିବ ଗାଡ଼ିର ସିଟ୍! ଆଖି ଲାଗିବା ଆଗରୁ ଦେଇଦେବ ଆଲର୍ଟ । ଆଉ ନିଦ ବଢ଼ିଲେ ସିଟ୍ ହେବ ଭାଇବ୍ରେଟ୍… ଡ୍ରାଇଭରଙ୍କୁ କହିବ— ‘ଗାଡ଼ି ରଖ, ବିଶ୍ରାମ ନିଅ। ରାତିର ଲମ୍ବା ରାସ୍ତା… ଷ୍ଟିଅରିଂ ଉପରେ ଥକି ଯାଇଥିବା ହାତ… ଆଉ ଆଖିରେ ନିଦ । ଏଭଳି ସମୟରେ ମାତ୍ର କିଛି ସେକେଣ୍ଡର ଅସାବଧାନତା ବି ଘଟାଇପାରେ ବଡ଼ ଦୁର୍ଘଟଣା । କିନ୍ତୁ ଏବେ ଡ୍ରାଇଭରଙ୍କ ନିଦ୍ରା ଉପରେ ନଜର ରଖିବ ଗାଡ଼ିର ସିଟ୍ ।

ଡ୍ରାଇଭରଙ୍କ ଥକାପଣ ଓ ନିଦ୍ରାଜନିତ ଅସାବଧାନତାକୁ ଚିହ୍ନଟ କରିବା ପାଇଁ IIT ମାଡ୍ରାସର ଗବେଷକମାନେ ବିକଶିତ କରିଛନ୍ତି ଏକ ସ୍ମାର୍ଟ ସିଟ୍ । ଏହାର ନାଁ ‘IntelliSeat’ । ପ୍ରଫେସର ଭେଙ୍କଟେଶ ବାଲସୁବ୍ରମଣିଆନଙ୍କ Rehabilitation Bioengineering Group ଓ Haritaର ସହଯୋଗରେ ଏହି ପ୍ରଯୁକ୍ତି ବିକଶିତ କରାଯାଇଛି । ଏବେ ପ୍ରଶ୍ନ ହେଉଛି— ସିଟ୍ କେମିତି ଜାଣିବ ଡ୍ରାଇଭରଙ୍କୁ ନିଦ ଲାଗୁଛି?

ଏହି ସ୍ମାର୍ଟ ସିଟ୍‌ର ବ୍ୟାକ୍ ଓ ବେସ୍‌ରେ ଲାଗିଥିବା ସେନ୍ସର ଡ୍ରାଇଭରଙ୍କ ବସିବା ଢଙ୍ଗ ଏବଂ ଶରୀରର ଛୋଟ ଛୋଟ ଗତିବିଧିରେ ହେଉଥିବା ପରିବର୍ତ୍ତନକୁ ଚିହ୍ନଟ କରିବ । ଅର୍ଥାତ୍ ଡ୍ରାଇଭରଙ୍କ ମୁହଁ ସାମ୍ନାରେ କ୍ୟାମେରା ଲଗାଇବା କିମ୍ବା ଶରୀରରେ କୌଣସି ତାର ଲଗାଇବାର ଆବଶ୍ୟକତା ନାହିଁ ।ସେନ୍ସରରୁ ମିଳୁଥିବା ତଥ୍ୟକୁ ବିଶ୍ଳେଷଣ କରି ଡ୍ରାଇଭର କେତେ ଥକିଛନ୍ତି, ସେନେଇ ସିଷ୍ଟମ୍ ଅନୁମାନ କରିପାରିବ ।

ଆଉ ଥକାପଣ ବଢ଼ିବା ସହ ଆଲର୍ଟ ମଧ୍ୟ ହେବ ଷ୍ଟେପ୍ ବାଏ ଷ୍ଟେପ୍ । ପ୍ରଥମେ ଡ୍ୟାସ୍‌ବୋର୍ଡରେ ଲାଇଟ୍ ଜଳି ଡ୍ରାଇଭରଙ୍କୁ ସତର୍କ କରିବ । ଥକାପଣ ଆହୁରି ବଢ଼ିଲେ ଶୁଣିବାକୁ ମିଳିବ ସାଉଣ୍ଡ୍ ଆଲର୍ଟ ।ଆଉ ଡ୍ରାଇଭର ଅତ୍ୟଧିକ ଥକିଯାଇଥିବା ସ୍ତରକୁ ପହଞ୍ଚିଲେ ସିଟ୍ ନିଜେ ଭାଇବ୍ରେଟ୍ କରିବ । ଅର୍ଥାତ୍ ଡ୍ରାଇଭରଙ୍କୁ ସ୍ପଷ୍ଟ ସଙ୍କେତ ମିଳିବ—ଏବେ ଗାଡ଼ି ଅଟକାଇ ବିଶ୍ରାମ ନେବାର ସମୟ ।
ଖାଲି ଡ୍ରାଇଭର ନୁହେଁ, ଏହି ସିଷ୍ଟମ୍ ଫ୍ଲିଟ୍ ମାଲିକଙ୍କୁ ମଧ୍ୟ ସୂଚନା ଦେଇପାରିବ । ଫଳରେ ଦୀର୍ଘ ଦୂରତା ଯାତ୍ରା କରୁଥିବା ଟ୍ରକ୍, ବସ୍ କିମ୍ବା ଅନ୍ୟ ବାଣିଜ୍ୟିକ ଗାଡ଼ିର ଡ୍ରାଇଭରଙ୍କ ଥକାପଣ ଉପରେ ମଧ୍ୟ ନଜର ରଖିବା ସହଜ ହୋଇପାରେ ।

ସବୁଠାରୁ ବଡ଼ କଥା ହେଉଛି—ଏହି ଟେକ୍ନୋଲୋଜି କେବଳ ନୂଆ ଗାଡ଼ି ପାଇଁ ନୁହେଁ । ପୁରୁଣା ଟ୍ରକ୍ ଓ ବସ୍‌ରେ ମଧ୍ୟ ଏହାକୁ ଲଗାଇବାର ସୁବିଧା ରହିପାରେ ।ଯଦି ଏଭଳି ସ୍ମାର୍ଟ ସିଟ୍ ବ୍ୟାପକ ଭାବେ ବ୍ୟବହାର ହୁଏ, ତେବେ ଡ୍ରାଇଭରଙ୍କ ଥକାପଣ ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ଅନେକାଂଶରେ ରୋକିବାରେ ଏହା ସହାୟକ ହୋଇପାରେ ।ତେବେ ଡ୍ରାଇଭରଙ୍କ ନିଦ୍ରା ଉପରେ ନଜର ରଖିବ ଏହି ସ୍ମାର୍ଟ ସିଟ୍ କେବେଠାରୁ ରାସ୍ତାରେ ଗାଡ଼ିର ସୁରକ୍ଷାର ଅଂଶ ପାଲଟୁଛି, ଏବେ ତାହା ଉପରେ ରହିଛି ନଜର ।