ବିଜୟଙ୍କ ବଡ଼ ଘୋଷଣା | ଘରେ ଘରେ ଗ୍ୟାସ୍‌ ସିଲିଣ୍ଡର !

ରୋଷେଇ ଘରରୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ, ଦୁଇଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ବର୍ଷକୁ ମିଳିବ ୩ଟି ମାଗଣା ଏଲ୍‌ପିଜି ସିଲିଣ୍ଡର, ଆଉ ମହିଳାଙ୍କ ପାଇଁ ଆହୁରି ବଢ଼ିବ ମାଗଣା ବସ୍‌ ଯାତ୍ରାର ସୁବିଧା । ବିଧାନସଭାରେ ଏହି ବଡ଼ ଘୋଷଣା କରିଛନ୍ତି ବିଜୟ ।ତେବେ ପ୍ରଥମେ ଜାଣନ୍ତୁ ଗ୍ୟାସ୍‌ ସିଲିଣ୍ଡର ଯୋଜନା ବିଷୟରେ । ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ଯୋଗ୍ୟ ପରିବାରଙ୍କୁ ବର୍ଷକୁ ମିଳିବ ୩ଟି ମାଗଣା ଏଲ୍‌ପିଜି ସିଲିଣ୍ଡର । ବର୍ଷକୁ ୨ ଲକ୍ଷ ୫୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍‌ ଆୟ ଥିବା ପରିବାର ଏହି ସୁବିଧା ପାଇପାରିବେ । ସିଲିଣ୍ଡର କିଣିବା ପରେ ଏହାର ଟଙ୍କା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ଯିବ ।

ସରକାରୀ ଆକଳନ ଅନୁସାରେ, ଏହି ଯୋଜନାରେ ୧ କୋଟି ୩୦ ଲକ୍ଷରୁ ଅଧିକ ପରିବାର ଉପକୃତ ହୋଇପାରନ୍ତି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଆସନ୍ତା ପୋଙ୍ଗଲ ପର୍ବ, ଅର୍ଥାତ୍ ୨୦୨୭ ଜାନୁଆରୀରୁ ଏହି ଯୋଜନା ଲାଗୁ ହେବାକୁ ଥିବା ରିପୋର୍ଟରେ କୁହାଯାଇଛି ।ଖାଲି ଗ୍ୟାସ୍‌ ନୁହେଁ… ମହିଳାଙ୍କ ଯାତାୟାତକୁ ନେଇ ମଧ୍ୟ ଆସିଛି ବଡ଼ ଘୋଷଣା । ‘ଭେଟ୍ଟ୍ରି ପୟାନମ୍’ ଯୋଜନା ଅଧୀନରେ ମହିଳାଙ୍କ ମାଗଣା ବସ୍‌ ଯାତ୍ରାର ପରିସରକୁ ବଢ଼ାଯିବ । ଆସନ୍ତା ଅକ୍ଟୋବର ୨, ମହାତ୍ମା ଗାନ୍ଧୀ ଜୟନ୍ତୀଠାରୁ ଏହି ବିସ୍ତାରିତ ସୁବିଧା ଲାଗୁ ହେବ ।

ଏଣିକି କେବଳ ସାଧାରଣ ବସ୍‌ ନୁହେଁ… ସହରାଞ୍ଚଳରେ ଏକ୍ସପ୍ରେସ୍‌, ଏଲ୍‌ଏସ୍‌ଏସ୍‌ ଓ ଡିଲକ୍ସ ସରକାରୀ ବସ୍‌ରେ ମଧ୍ୟ ମହିଳାମାନେ ମାଗଣା ଯାତ୍ରା କରିପାରିବେ । ସେହିପରି ଜିଲ୍ଲା ମଧ୍ୟରେ ଚଳାଚଳ କରୁଥିବା ଯୋଗ୍ୟ ସାଧାରଣ ଭଡ଼ାର ସରକାରୀ ବସ୍‌ରେ ମଧ୍ୟ ଏହି ସୁବିଧା ମିଳିବ । ଟ୍ରାନ୍ସଜେଣ୍ଡର ଯାତ୍ରୀମାନେ ମଧ୍ୟ ଏହି ମାଗଣା ଯାତ୍ରାର ସୁବିଧା ପାଇପାରିବେ । ସବୁଠାରୁ ବଡ଼ କଥା ହେଉଛି, ଏହି ମାଗଣା ବସ୍‌ ଯାତ୍ରା ପାଇଁ ଆୟ ସୀମା ରହିବ ନାହିଁ, ଯାତ୍ରା ସଂଖ୍ୟା ଉପରେ ମଧ୍ୟ କୌଣସି ସୀମା ରହିବ ନାହିଁ ବୋଲି ଘୋଷଣା କରାଯାଇଛି । ଏହି ଯୋଜନାର ବିସ୍ତାର ପାଇଁ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅର୍ଥାତ୍‌, ଗୋଟିଏ ପଟେ ରୋଷେଇ ଘରର ଖର୍ଚ୍ଚ କମାଇବାକୁ ବର୍ଷକୁ ୩ଟି ଏଲ୍‌ପିଜି ସିଲିଣ୍ଡରର ସହାୟତା… ଆଉ ଅନ୍ୟପଟେ ମହିଳାଙ୍କ ଯାତାୟାତ ଖର୍ଚ୍ଚ କମାଇବାକୁ ବଢ଼ାଯାଉଛି ମାଗଣା ବସ୍‌ ସେବା । ତେବେ ଏହି ଦୁଇ ବଡ଼ ଘୋଷଣା ତାମିଲନାଡୁର ଲୋକଙ୍କ ପାଇଁ କେତେ ଲାଭଦାୟକ ହେଉଛି, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।