ପୁଣି ଫେରିଲା ଫ୍ଲୁ ଭୟ! H1N1କୁ ନେଇ ସତର୍କ ସରକାର

ଦେଶରେ ପୁଣି ବଢ଼ିଲା ଫ୍ଲୁ ଚିନ୍ତା… ସତର୍କ ହେଲା ସ୍ୱାସ୍ଥ୍ୟ ବିଭାଗ । ବିଶେଷକରି H1N1 ବା ସ୍ୱାଇନ୍ ଫ୍ଲୁ ମାମଲା ବଢ଼ିବା ପରେ ଅନେକ ରାଜ୍ୟରେ ତତ୍ପରତା ବଢ଼ିଛି ।ଋତୁ ପରିବର୍ତ୍ତନ ସହ ଦେଶରେ ପୁଣି ଥରେ ଶ୍ୱାସଜନିତ ସଂକ୍ରମଣ ବଢ଼ୁଥିବା ଖବର ସାମ୍ନାକୁ ଆସୁଛି । ବିଶେଷକରି ଇନ୍‌ଫ୍ଲୁଏଞ୍ଜା ଏଚ୍‌୧ଏନ୍‌୧ ମାମଲା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକ ନଜର ରଖିଛନ୍ତି । ଦିଲ୍ଲୀରେ ମାମଲା ବଢ଼ିବା ପରେ ସରକାର ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ତେବେ ଏହାକୁ ନେଇ ଭୟଭୀତ ନହେବାକୁ ମଧ୍ୟ ଅପିଲ୍ କରାଯାଇଛି । ସରକାରଙ୍କ କହିବା କଥା, ସ୍ଥିତି ଉପରେ ନିରନ୍ତର ନଜର ରହିଛି ଏବଂ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରାଯାଇଛି ।ଦିଲ୍ଲୀର ଚିତ୍ରକୁ ଯଦି ଦେଖିବା, ଏଠାରେ ଏଚ୍‌୧ଏନ୍‌୧ର ୨୩୦୮ଟି ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି ।ଏହା ସହ ଅନ୍ୟ ଫ୍ଲୁ ଭାରିଆଣ୍ଟର ପ୍ରାୟ ୬୦୦ରୁ ୬୫୦ଟି ମାମଲା ଥିବା କୁହାଯାଉଛି । ମାମଲା ବଢ଼ିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ଥିବା ଦିଲ୍ଲୀ ସରକାର କହିଛି ।

ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ବେଡ୍‌, ଡାକ୍ତର ଏବଂ ଔଷଧ ମହଜୁଦ ଥିବା ମଧ୍ୟ କୁହାଯାଇଛି । ଏପର୍ଯ୍ୟନ୍ତ ଏହି ସଂକ୍ରମଣରେ କୌଣସି ମୃତ୍ୟୁ ହୋଇନଥିବା ଏବଂ ଗୁରୁତର ଅବସ୍ଥାରେ କୌଣସି ରୋଗୀ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ନଥିବା ସୂଚନା ଦିଆଯାଇଛି ।ତେଣୁ ମାମଲା ବଢ଼ିଥିଲେ ମଧ୍ୟ ସ୍ଥିତି ଏବେ ନିୟନ୍ତ୍ରଣ ବାହାରେ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି ।
କେବଳ ଏଚ୍‌୧ଏନ୍‌୧ ନୁହେଁ, ବର୍ତ୍ତମାନ ଦେଶରେ ଏକାଧିକ ଶ୍ୱାସଜନିତ ଭାଇରସ୍‌ ଉପରେ ନଜର ରଖାଯାଉଛି । ଇନ୍‌ଫ୍ଲୁଏଞ୍ଜା-ଏ, ଇନ୍‌ଫ୍ଲୁଏଞ୍ଜା-ବି ଏବଂ କୋଭିଡ୍‌ ଭଳି ସଂକ୍ରମଣର କିଛି ମାମଲା ଚିହ୍ନଟ ହେଉଛି ।

ତେବେ ଏହି ସମୟରେ ଏଚ୍‌୧ଏନ୍‌୧ର ପ୍ରଭାବ ଅଧିକ ଦେଖାଯାଉଥିବା କୁହାଯାଉଛି । ଦେଶର କେଉଁ ଅଞ୍ଚଳରେ କେଉଁ ଭାଇରସ୍‌ ସକ୍ରିୟ ରହିଛି ଏବଂ ସଂକ୍ରମଣର ସ୍ଥିତି କେମିତି ରହିଛି, ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିୟମିତ ଭାବେ ତଥ୍ୟ ସଂଗ୍ରହ କରୁଛି ।କୋଭିଡ୍‌ ପରେ ଦେଶର ରୋଗ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଆହୁରି ସୁଦୃଢ଼ କରାଯାଇଛି । ଦେଶର ୭୩ଟି ଲାବୋରେଟୋରୀରେ ଶ୍ୱାସଜନିତ ରୋଗର ନମୁନା ପରୀକ୍ଷା କରାଯାଉଛି । ଗୁରୁତର ଶ୍ୱାସଜନିତ ସଂକ୍ରମଣ ଥିବା ରୋଗୀଙ୍କ ନମୁନା ସହ ଅନ୍ୟ ମାମଲାର ନମୁନା ମଧ୍ୟ ଯାଞ୍ଚ କରାଯାଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏଚ୍‌୧ଏନ୍‌୧ କୌଣସି ନୂଆ ଭାଇରସ୍‌ ନୁହେଁ । ଏହା ଇନ୍‌ଫ୍ଲୁଏଞ୍ଜାର ଏକ ପ୍ରକାର ଏବଂ ଋତୁକାଳୀନ ଭାବେ ଏହାର ସଂକ୍ରମଣ ଦେଖାଯାଇପାରେ ।
ଫ୍ଲୁ ଭାଇରସ୍‌ରେ ସମୟ ସହ ପରିବର୍ତ୍ତନ ହେଉଥିବାରୁ ପୂର୍ବରୁ ଫ୍ଲୁ ହୋଇଥିବା ଲୋକଙ୍କୁ ମଧ୍ୟ ପୁଣି ଥରେ ସଂକ୍ରମଣ ହୋଇପାରେ । ଅଧିକାଂଶ କ୍ଷେତ୍ରରେ ଲକ୍ଷଣ ହାଲୁକା ରହିଥାଏ ଏବଂ ବିଶ୍ରାମ, ପର୍ଯ୍ୟାପ୍ତ ତରଳ ଗ୍ରହଣ ଓ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଦ୍ୱାରା ଲୋକେ ସୁସ୍ଥ ହୋଇପାରନ୍ତି ।

ବିଶେଷକରି ଅଧିକ ଝୁମ୍ପରେ ଥିବା ବ୍ୟକ୍ତିମାନେ ଫ୍ଲୁ ଟିକା ନେବା ଆବଶ୍ୟକ କି ନାହିଁ, ସେନେଇ ନିଜ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ।ତେଣୁ ଏଚ୍‌୧ଏନ୍‌୧ ମାମଲା ବଢ଼ୁଥିବା ଖବରକୁ ନେଇ ଆତଙ୍କିତ ହେବା ଅପେକ୍ଷା ସଚେତନ ରହିବା ଅଧିକ ଜରୁରୀ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ସ୍ୱଚ୍ଛତା ନିୟମ ପାଳନ କରନ୍ତୁ ଏବଂ ଲକ୍ଷଣ ଦେଖାଦେଲେ ନିଜ ମନରୁ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।ସ୍ୱାସ୍ଥ୍ୟ ବିଭାଗର ବାର୍ତ୍ତା ସ୍ପଷ୍ଟ—ଫ୍ଲୁକୁ ନେଇ ଭୟ ନୁହେଁ, ଆବଶ୍ୟକ ସତର୍କତା ହିଁ ସବୁଠାରୁ ବଡ଼ ସୁରକ୍ଷା ।