Blog
ନେପାଳରେ ପ୍ରଳୟଙ୍କରୀ ବନ୍ୟା | ୩୦୦ ଭାରତୀୟ ନିଖୋଜ, ୧୬୦ ମୃତ!
ନେପାଳରେ ପ୍ରକୃତିର ପ୍ରଳୟ । ଆକସ୍ମିକ ବନ୍ୟାରେ ଛାରଖାର ହୋଇଛି ରସୁୱା ଅଞ୍ଚଳ । ମାତ୍ର କିଛି ଘଣ୍ଟା ଭିତରେ ବଦଳିଯାଇଛି ପୂରା ଚିତ୍ର । ପ୍ରଳୟଙ୍କରୀ ବନ୍ୟାରେ ଘରଦ୍ୱାରଠାରୁ ଆରମ୍ଭ କରି ରାସ୍ତା, ପୋଲ ଓ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକିଛି ଭାସିଯାଇଛି । ହଜାର ହଜାର ଲୋକ ନିଖୋଜ ଥିବା ବେଳେ ମୃତ୍ୟୁସଂଖ୍ୟା ୧୬୦ରେ ପହଞ୍ଚିଥିବା ପ୍ରାଥମିକ ଆକଳନରୁ ସୂଚନା ମିଳିଛି । ଆଉ ସବୁଠାରୁ ବଡ଼ ଚିନ୍ତା ଏବେ ନିଖୋଜ ଭାରତୀୟଙ୍କୁ ନେଇ । ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲଙ୍କ ସୂଚନା ଅନୁସାରେ, ପ୍ରାୟ ୩୦୦ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ଲୋକ ନିଖୋଜ ଅଛନ୍ତି । ବନ୍ୟାରେ ଅନେକ ସହର ଓ ଗାଁ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ପରିବାର ନିଜର ଘରଦ୍ୱାର ହରାଇଛନ୍ତି ।
ଏହି ପ୍ରଳୟର ପ୍ରଭାବ ପଡ଼ିଛି ମାନସରୋବର ଯାତ୍ରା ପାଇଁ ବ୍ୟବହୃତ ମୁଖ୍ୟ ମାର୍ଗ ଉପରେ । ଫଳରେ ନିଖୋଜ ଭାରତୀୟଙ୍କ ମଧ୍ୟରେ ଅନେକ ତୀର୍ଥଯାତ୍ରୀ ଥିବା ସୂଚନା ମିଳିଛି । ହଠାତ୍ ବନ୍ୟା ଆସିବା ପରେ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ । କିଏ କେଉଁଠି ଅଛନ୍ତି ? କେତେ ଜଣ ସୁରକ୍ଷିତ ଅଛନ୍ତି ? ଆଉ କେତେ ଜଣଙ୍କୁ ଉଦ୍ଧାର କରିବାକୁ ବାକି ଅଛି ? ଏସବୁର ଉତ୍ତର ଖୋଜିବାକୁ ଉଦ୍ଧାରକାରୀ ଦଳ ଜୋରଦାର ଅପରେସନ୍ ଚଳାଇଛନ୍ତି । ନେପାଳ ସରକାର ମଧ୍ୟ ଭାରତ ସମେତ ବିଭିନ୍ନ ଦେଶର ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ।
କେବଳ ଭାରତୀୟ ନୁହନ୍ତି, ପ୍ରାୟ ୫୦୦ ବିଦେଶୀ ନାଗରିକଙ୍କ ସହ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନେପାଳ ସରକାର ପକ୍ଷରୁ କୁହାଯାଇଛି । ନେପାଳୀ ନାଗରିକଙ୍କ ଭଳି ବିଦେଶୀ ନାଗରିକଙ୍କ ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ନେପାଳର ବୈଦେଶିକ ମନ୍ତ୍ରୀ । ଏପଟେ ଏହି ବଡ଼ ବିପତ୍ତି ସମୟରେ ଭାରତ ସରକାରଙ୍କ ତୁରନ୍ତ ରିଲିଫ୍ ଓ ସହାୟତା ପାଇଁ କୃତଜ୍ଞତା ଜଣାଇଛି ନେପାଳ । ଆବଶ୍ୟକ ସହାୟତା ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରାଯାଉଛି ।
ଅନ୍ୟପଟେ ପ୍ରଳୟର ଭୟ ଭିତରେ ମଧ୍ୟ ନେପାଳ ପକ୍ଷରୁ ପର୍ଯ୍ୟଟକଙ୍କୁ ଆଶ୍ୱାସନ ଦିଆଯାଇଛି । ପୋଖରା ଓ ଏଭରେଷ୍ଟ ଅଞ୍ଚଳ ସମେତ ଅଧିକାଂଶ ପର୍ଯ୍ୟଟନସ୍ଥଳୀ ସୁରକ୍ଷିତ ଥିବା କୁହାଯାଇଛି । ନେପାଳର ପୁନର୍ଗଠନରେ ବିଶ୍ୱ ସମୁଦାୟ ସହଯୋଗର ହାତ ବଢ଼ାଇବା ସହ ପର୍ଯ୍ୟଟନ ଯାତ୍ରା ଜାରି ରଖିବାକୁ ମଧ୍ୟ ଅନୁରୋଧ କରାଯାଇଛି । ତେବେ ନେପାଳରେ ଏହି ପ୍ରଳୟଙ୍କରୀ ବନ୍ୟା ପରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ—ନିଖୋଜଙ୍କୁ ଖୋଜିବା ଏବଂ ଜୀବନ ବଞ୍ଚାଇବା । ବିଶେଷ କରି ନିଖୋଜ ଭାରତୀୟ ନାଗରିକ ଓ ତୀର୍ଥଯାତ୍ରୀଙ୍କ ପରିବାର ଏବେ ଆଶା ଓ ଆଶଙ୍କାରେ ରହିଛନ୍ତି । ଉଦ୍ଧାରକାରୀ ଦଳ କେତେ ଶୀଘ୍ର ନିଖୋଜଙ୍କ ପାଖରେ ପହଞ୍ଚିପାରୁଛନ୍ତି, ଏବେ ତାହା ଉପରେ ସମସ୍ତଙ୍କ ନଜର ।
- Trending




