୮ ବିଧାୟକଙ୍କ କ୍ରସ୍ ଭୋଟିଂ ବିବାଦ: ଆଜି ଚକ୍ରମଣି-ସୁବାସିନୀଙ୍କ ଆବେଦନର ଶୁଣାଣି

ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ନିଷ୍ପତ୍ତି ବିରୋଧରେ ୮ ଜଣ ବିଧାୟକ ଭୋଟ୍ ଦେଇଥିବା ଅଭିଯୋଗ ଆଣିଥିଲା ବିଜେଡି। ଦଳ ବିରୋଧରେ ଭୋଟ୍ ଦେଇଥିବାରୁ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ ସେମାନଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା।ଏହି ଦାବିକୁ ନେଇ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତି ସୁରମା ପାଢୀଙ୍କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲେ।

ତେବେ ଜୁନ୍ ୨୨ ତାରିଖରେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଥିଲେ। ଆବେଦନରେ ଆବଶ୍ୟକ ତଥ୍ୟ, ପ୍ରମାଣ ଓ ସତ୍ୟପାଠ ନଥିବାରୁ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି ବାଚସ୍ପତିଙ୍କ ପକ୍ଷରୁ ଦର୍ଶାଯାଇଥିଲା। ବିଧାନସଭାର ନିୟମ ଅନୁଯାୟୀ ଆବଶ୍ୟକ ପ୍ରମାଣ ଓ ତଥ୍ୟ ଉପସ୍ଥାପନ ହୋଇନଥିବାରୁ ଆବେଦନ ଖାରଜ ହୋଇଥିଲା।ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେଡି।ଏବେ ଏହି ମାମଲାରେ ଆଜିର ଶୁଣାଣି ଉପରେ ରହିଛି ନଜର।

ବିଜେଡିର ୮ ଜଣ ବିଧାୟକଙ୍କ ମଧ୍ୟରୁ ଚକ୍ରମଣି କହଁର ଓ ସୁବାସିନୀ ଜେନାଙ୍କ ସଭ୍ୟପଦ ରଦ୍ଦ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ। ତେବେ ହାଇକୋର୍ଟରେ ଆଜିର ଶୁଣାଣି ପରେ ମାମଲା କେଉଁ ଦିଗକୁ ଯାଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।