ଉପାସରେ ଶ୍ରୀଲିଙ୍ଗରାଜ ! ସେବାକୁ ନେଇ ନୀତିକାନ୍ତି ବନ୍ଦ |

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ। ସେବାକୁ ନେଇ ପୂଜାପଣ୍ଡା ଓ ପତ୍ରୀ ସେବାୟତଙ୍କ ମଧ୍ୟରେ ବିବାଦ ପରେ ଠପ୍‌ ହୋଇଛି ଠାକୁରଙ୍କ ନୀତିକାନ୍ତି। ବଡ଼ସିଂହାର ବେଶ ପରଠାରୁ ପୂଜାପଣ୍ଡା ସେବାୟତମାନେ ନୀତିକାନ୍ତି ବନ୍ଦ ରଖିଥିବା ସୂଚନା ମିଳିଛି।ସେବାକୁ ନେଇ ପୂଜାପଣ୍ଡା ଓ ପତ୍ରୀ ସେବାୟତଙ୍କ ମଧ୍ୟରେ ମତଭେଦ ଦେଖାଦେବା ପରେ ଏଭଳି ସ୍ଥିତି ଉପୁଜିଛି। ଫଳରେ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିର୍ଦ୍ଧାରିତ ନୀତିକାନ୍ତି ଆଗକୁ ବଢ଼ିପାରିନାହିଁ।

ବିବାଦର ସମାଧାନ ପାଇଁ ଆଜି ମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ ସେବାୟତ ଗୋଷ୍ଠୀ ମଧ୍ୟରେ ବୈଠକ ବସିବ। ବୈଠକରେ ଉଭୟ ପକ୍ଷ ସହ ଆଲୋଚନା କରାଯାଇ ସମାଧାନର ବାଟ ଖୋଜାଯିବ। ଆଲୋଚନା ପରେ ଠାକୁରଙ୍କ ନୀତିକାନ୍ତି ସ୍ୱାଭାବିକ ହେବ ବୋଲି ଆଶା ରହିଛି। ବୈଠକରେ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯିବ | ତେବେ ସେବାୟତଙ୍କ ମଧ୍ୟରେ ବିବାଦ ଆଜିର ନୁହେଁ। ପୂର୍ବରୁ ମଧ୍ୟ ଅନେକଥର ସେବାକୁ ନେଇ ମତଭେଦ ଦେଖାଦେଇଛି। ଏବେ ପୁଣି ନୀତିକାନ୍ତି ବନ୍ଦ ହେବା ପରେ ଏହାର ଶୀଘ୍ର ସମାଧାନ ନେଇ ଭକ୍ତମହଲରେ ଆଶା ରହିଛି।

ଏବେ ପ୍ରଶ୍ନ କେବେ ଦୂର ହେବ ସେବାୟତଙ୍କ ବିବାଦ? କେବେ ପୁଣି ସ୍ୱାଭାବିକ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି?ଆଜିର ବୈଠକ ଉପରେ ରହିଛି ସମସ୍ତଙ୍କ ନଜର। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇ ପ୍ରଭୁଙ୍କ ନୀତିକାନ୍ତି ଶୀଘ୍ର ସ୍ୱାଭାବିକ ହେଉ , ଏହା ହିଁ ଭକ୍ତଙ୍କ ଆଶା।