୪୮ ଘଣ୍ଟା ବିପଦ, ଓଡ଼ିଶାରେ ପୁଣି ବନ୍ୟା ଭୟ!

ଲ୍ୟାଣ୍ଡଫଲ୍ ପରେ ବି ଥମୁନି ବର୍ଷା। ଗଭୀର ଅବପାତର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ବାଲେଶ୍ୱର ସହରର ଅନେକ ଅଞ୍ଚଳ ଜଳମଗ୍ନ।
ରାସ୍ତା ଉପରେ ଜମିଛି ଆଣ୍ଠୁଏ ପାଣି। ଲଗାତାର ବର୍ଷାରେ ବିଭିନ୍ନ ନଦୀ ଓ ନାଳର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସେପଟେ ମାଲକାନଗିରିରେ ବି ଦେଖାଦେଇଛି ଜଳବନ୍ଦୀ ସ୍ଥିତି। କାଙ୍କରକୋଣ୍ଡା ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ପ୍ରଭାବିତ ହୋଇଛି ଯାତାୟାତ। ବର୍ଷା ଲାଗି ରହିଥିବାରୁ ଆକସ୍ମିକ ବନ୍ୟା ସହ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ଗଭୀର ଅବପାତ ଲ୍ୟାଣ୍ଡଫଲ୍ କରିଥିଲା। ସ୍ଥଳଭାଗ ଛୁଇଁବା ପରେ ଏହା ଧୀରେ ଧୀରେ ଦୁର୍ବଳ ହେଉଥିଲେ ମଧ୍ୟ ଏହାର ପ୍ରଭାବ ଏବେ ବି ଜାରି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଗଭୀର ଅବପାତର ପ୍ରଭାବ ରହିପାରେ। ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଏବେ ନଜର ପକାଇବା ଆଜିର ବର୍ଷା ଆଲର୍ଟ ଉପରେ। ନବରଙ୍ଗପୁର ଜିଲ୍ଲାକୁ ଜାରି ହୋଇଛି ରେଡ୍ ଆଲର୍ଟ | ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ସେହିପରି କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେଣୁ ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ସତର୍କ ରହିବା ଜରୁରୀ। ବିଶେଷକରି ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।