ଅଦାଲତର ସୀମା ଡେଇଁ ନ୍ୟାୟ! ପକ୍ଷାଘାତଗ୍ରସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କଲେ ବିଚାରପତି।

ନ୍ୟାୟ କେବଳ ଅଦାଲତର ଚାରିକାନ୍ଥ ଭିତରେ ସୀମିତ ନୁହେଁ। ବେଳେବେଳେ ନ୍ୟାୟକୁ ନିଜେ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼େ। ଆଉ ଏହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଦାଲତରେ। ୨୦୧୮ ମସିହାର ଏକ ପୁରୁଣା ଫୌଜଦାରୀ ମାମଲାରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବାର ପ୍ରକ୍ରିୟା ଚାଲିଥିଲା। କିନ୍ତୁ ପକ୍ଷାଘାତରେ ପୀଡ଼ିତ ବୟସ୍କ ଅଭିଯୁକ୍ତଙ୍କ ପାଇଁ ଅଦାଲତ କକ୍ଷକୁ ଆସିବା ସମ୍ଭବ ହୋଇନଥିଲା।

ଏଭଳି ସ୍ଥିତିରେ ମାନବିକତାର ପରିଚୟ ଦେଇଥିଲେ ଅତିରିକ୍ତ ସିଭିଲ୍ ଜଜ୍ ତଥା ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ସୁଶ୍ରୀ ଶ୍ରିୟଙ୍କା ଦାଶ।ସେ ନିଜେ ଅଦାଲତ କକ୍ଷ ବାହାରକୁ ଯାଇ CrPC ଧାରା ୩୧୩ ଅନୁଯାୟୀ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲେ।ସାଧାରଣତଃ ଅଦାଲତରେ ଏଭଳି ସୁବିଧା ସାକ୍ଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ। କିନ୍ତୁ ଏଠାରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଇଛି।କାରଣ, ଆଇନର ଆଖିରେ ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଅଭିଯୁକ୍ତ ନିର୍ଦ୍ଦୋଷ। ତାଙ୍କର ମଧ୍ୟ ନିଜ ପକ୍ଷ ରଖିବାର ଅଧିକାର ରହିଛି।

ଜଣେ ବିଚାରପତିଙ୍କ ଏହି ପଦକ୍ଷେପ କେବଳ ମାନବିକତାର ଉଦାହରଣ ନୁହେଁ, ବରଂ ନ୍ୟାୟ ବ୍ୟବସ୍ଥାର ନିରପେକ୍ଷତା ଓ ସମ୍ବେଦନଶୀଳତାର ଏକ ସୁନ୍ଦର ପରିଚୟ।ମନେ ରଖନ୍ତୁ, ନ୍ୟାୟ କେବଳ ରାୟ ଶୁଣାଇବାରେ ନାହିଁ, ପ୍ରତ୍ୟେକଙ୍କୁ ନିଜ କଥା କହିବାର ସୁଯୋଗ ଦେବାରେ ମଧ୍ୟ ରହିଛି। ଅଦାଲତର ସୀମା ଡେଇଁ ମଣିଷ ପାଖରେ ପହଞ୍ଚିଥିବା ଏହି ନ୍ୟାୟିକ ପଦକ୍ଷେପ ଆଜି ସମାଜ ପାଇଁ ଏକ ବଡ଼ ବାର୍ତ୍ତା।