Blog
ବନ୍ୟାରେ ୬୮ ମୃତ, ୫ ଲକ୍ଷ ପ୍ରଭାବିତ!
ଆସାମରେ ବନ୍ୟାର ବିଭୀଷିକା ଥମିବାର ନାଁ ନେଉନାହିଁ | ଲଗାଣ ବର୍ଷା ଏବଂ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ରାଜ୍ୟର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି | ବନ୍ୟାରେ ଏପର୍ଯ୍ୟନ୍ତ ୬୮ ଜଣଙ୍କ ଜୀବନ ଯାଇଥିବାବେଳେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି | ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ଗାଁରେ ଘର ଭିତରେ ପ୍ରାୟ ପାଞ୍ଚ ଫୁଟ ପର୍ଯ୍ୟନ୍ତ କାଦୁଅ ଜମି ରହିଛି | ଯାହା ଫଳରେ ଲୋକଙ୍କ ପାଇଁ ନିଜ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡ଼ିଛି |
କିଛି ଅଞ୍ଚଳରେ ବନ୍ୟାଜଳ କମିବା ଆରମ୍ଭ କରିଥିଲେ ମଧ୍ୟ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ | ଚାଷଜମି, ରାସ୍ତା ଏବଂ ସେତୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି | ଅନେକ ପରିବାରର ରାସନ, ପୋଷାକ ଓ ଘରକରଣା ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଅନେକ ଗାଁ ଏବେ ବି ରାସ୍ତା ଦ୍ୱାରା ଅପହଞ୍ଚ ଥିବାରୁ ଡଙ୍ଗା ହିଁ ଯାତାୟାତର ଏକମାତ୍ର ମାଧ୍ୟମ ପାଲଟିଛି | ହଜାର ହଜାର ଲୋକ ରିଲିଫ୍ କ୍ୟାମ୍ପରେ ରହିଥିବାବେଳେ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଛନ୍ତି |
ରାଜ୍ୟର ୪ଟି ଜିଲ୍ଲାରେ ମୋଟ ୩୫୪ଟି ରିଲିଫ୍ ଶିବିର ଏବଂ ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି | ଏଠାରେ ପ୍ରାୟ ୩୭ ହଜାର ୭୨୪ ଜଣ ବିସ୍ଥାପିତ ଆଶ୍ରୟ ନେଇଛନ୍ତି | ଉପର ଆସାମର ବିଭିନ୍ନ ଅଞ୍ଚଳରେ ସେନା, ଏନଡିଆରଏଫ୍, ଏସଡିଆରଏଫ୍, ଅଗ୍ନିଶମ ବାହିନୀ ଓ ଆସାମ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି | ରାଜ୍ୟର ୭୬୩ଟି ଗାଁ ଜଳମଗ୍ନ ହୋଇଥିବାବେଳେ ୪୮ ହଜାର ୭୪୨ ହେକ୍ଟରରୁ ଅଧିକ ଚାଷଜମି ନଷ୍ଟ ହୋଇଛି | ନୁମାଲିଗଡ଼ ନିକଟରେ ଧନଶିରୀ ନଦୀ ଏବେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି |
- Trending




