ଦଶହରା ପରେ ନିର୍ଭୁଲ ବହି ଦେଇପାରିବେ ତ ?

ପ୍ରିଜମ୍ ନ୍ୟୁଜ : ନୂଆ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କୁ ବଣ୍ଟନ ହୋଇଥିବା ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ସାମ୍ନାକୁ ଆସିଥିଲା | ପ୍ରଥମେ ଏହାକୁ ସାମାନ୍ୟ ଭୁଲ ବୋଲି କୁହାଯାଇଥିଲେ ମଧ୍ୟ…ପରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରି ଏହା ପଛରେ ଷଡ଼ଯନ୍ତ୍ର ଥିବା କହିଥିଲେ | ସେହି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ | ସରକାର ଏକପଟେ ତ୍ରୁଟି ସଂଶୋଧନ କରି ପାଠ ପଢ଼ାଇବାକୁ କହୁଥିବା ବେଳେ ଅନ୍ୟପଟେ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି | କିନ୍ତୁ ଇଂରାଜୀ ବହିରେ ଓଡ଼ିଆ ରଜଦୋଳି ଗୀତ ଓ ରାଜସ୍ଥାନୀ ଲୋକଗୀତ ଭଳି ସାଂଘାତିକ ତ୍ରୁଟି ଥିବାରୁ ସେଗୁଡ଼ିକୁ ସଂଶୋଧନ କରି ପାଠ ପଢ଼ାଇବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି |

ସୂଚନା ଅନୁସାରେ ଜୁନ୍ ମାସରୁ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ନୂଆ ବହି ଛପା ଏବଂ ବଣ୍ଟନ ଶେଷ ହେବାକୁ ଅକ୍ଟୋବର ଶେଷ ସପ୍ତାହ ଲାଗିପାରେ ଅର୍ଥାତ୍ ଦଶହରା ଛୁଟି ପରେ ହିଁ ପିଲାଙ୍କ ହାତରେ ପହଞ୍ଚିପାରେ ନୂଆ ନିର୍ଭୁଲ ପାଠ୍ୟପୁସ୍ତକ | ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ୍ ଥିବାରୁ ଭୁଲ ବହିକୁ ହାତରେ ସଂଶୋଧନ କରି ପଢ଼ାଇବା ସମ୍ଭବ ହେଉନାହିଁ | ଏହାଛଡ଼ା ଅଧିକାଂଶ ଶିକ୍ଷକ ବର୍ତ୍ତମାନ ଜନଗଣନା ଏବଂ ଅନ୍ୟ ସରକାରୀ କାମରେ ବ୍ୟସ୍ତ ଥିବାରୁ ପାଠ୍ୟପୁସ୍ତକ ସଂଶୋଧନ ପାଇଁ ସମୟ ମଧ୍ୟ ପାଉନାହାନ୍ତି |

ଏଭଳି ସ୍ଥିତିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ବଢ଼ିଛି | ନୂଆ ବହିରେ ଆଉ ଅଧିକ ସଂଶୋଧନ ଆସିଲେ ଏବେ ପଢ଼ାଯାଉଥିବା ପାଠରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଶିକ୍ଷକମାନେ ଆଶଙ୍କା ପ୍ରକାଶ କରୁଛନ୍ତି | ତେବେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ ଭିତରେ ନୂଆ ନିର୍ଭୁଲ ବହି କେବେ ପହଞ୍ଚିବ ଦଶହରା ପୂର୍ବରୁ ନା ପରେ ତାହା ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ |