ପରୀକ୍ଷା ପୂର୍ବରୁ ପୁଣି ପେପର୍ ଲିକ୍

ପ୍ରିଜମ୍ ନ୍ୟୁଜ୍: ଅଲ୍ ଓଡ଼ିଶା ମେଡିକାଲ୍ ପିଜି (PG) ପରୀକ୍ଷାକୁ ନେଇ ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ପରୀକ୍ଷା ପୂର୍ବରୁ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଉଠିଛି। ଏହି ଘଟଣା ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଅଭିଯୋଗ ଅନୁସାରେ, ପରୀକ୍ଷା ଆରମ୍ଭ ପୂର୍ବରୁ ହିଁ ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରଶ୍ନପତ୍ର ପୋଷ୍ଟ କରାଯାଉଥିଲା। କେବଳ ସେତିକି ନୁହେଁ, କିଛି ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ୍ ନମ୍ବରରୁ ପ୍ରଶ୍ନର ଉତ୍ତର ମଧ୍ୟ ପଠାଯାଉଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଏହି ଅଭିଯୋଗ ୨୦୨୩–୨୦୨୬ ବ୍ୟାଚର ଜେନେରାଲ ସର୍ଜରୀ MD/MS ପ୍ରଶ୍ନପତ୍ର ସହ ସମ୍ପର୍କିତ। ଘଟଣା ପ୍ରକାଶ ପାଇବା ପରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଡିଭାଇସ ବ୍ୟବହାର ଉପରେ କଡ଼ା କଟକଣା ଲାଗୁ କରାଯାଇଛି। କିଏ ସେହି ହ୍ୱାଟ୍ସଆପ୍ ଗ୍ରୁପ୍ ସୃଷ୍ଟି କରିଥିଲା, କିଏ କିଏ ସେଥିରେ ସାମିଲ ଥିଲେ ଏବଂ ପ୍ରଶ୍ନପତ୍ର କିପରି ସେଠାକୁ ପହଞ୍ଚିଲା, ସେନେଇ ଛାନଭିନ୍ ଆରମ୍ଭ ହୋଇଛି।

ତେବେ ଏପର୍ଯ୍ୟନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପେପର୍ ଲିକ୍ ଅଭିଯୋଗ ଉପରେ କିଛି କୁହାଯାଇନାହିଁ । ତଦନ୍ତ ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।