ମୋଦିଙ୍କୁ ଗାଳି… ଏବେ କ୍ଷମା ମାଗିଲେ

ଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ପ୍ରତିବାଦ ସମୟରେ ଜୁଲାଇ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଟୁ ଓ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ କେସରେ ଫସିଥିବା ଜଣେ ଝିଅ କ୍ଷମା ପ୍ରାର୍ଥନା କରିଥିବା ଖବର ସାମ୍ନାକୁ ଆସିଛି।

ଭାଇରାଲ ଭିଡିଓରେ ସେ କହିଛନ୍ତି,ପ୍ରତିବାଦସ୍ଥଳରେ ଉପସ୍ଥିତ କିଛି ଲୋକଙ୍କ ପ୍ରଭାବରେ ଆସି ମୁଁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନେକ ଖରାପ କଥା କହିଥିଲି। ଭିଡିଓରେ ଝିଅଟି କହିଛି, ଏହା ମୋର ପ୍ରଥମ ଓ ଶେଷ ଭୁଲ। ମୁଁ ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗୁଛି। ମୋତେ ନିଜ ପ୍ରତି ଲଜ୍ଜା ଲାଗୁଛି। ଦୟାକରି ମୋତେ କ୍ଷମା କରନ୍ତୁ।

ତେବେ ଏହି ଘଟଣାରେ ରୁଜୁ ହୋଇଥିବା FIRରେ ତାଙ୍କ ବୟସ ୨୫ ବର୍ଷ ବୋଲି ଉଲ୍ଲେଖ ରହିଛି। କିନ୍ତୁ କ୍ଷମା ପ୍ରାର୍ଥନା ଭିଡିଓରେ ସେ ନିଜ ବୟସ ମାତ୍ର ୧୫ ବର୍ଷ ବୋଲି କହିଛନ୍ତି। ଏହି ବୟସ ସମ୍ପର୍କିତ ବିରୋଧାଭାସକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କିଛି ଦିନ ତଳେ ଏହି ଝିଅର ମନ୍ତବ୍ୟକୁ ନେଇ ନୋଏଡାର ଏକ ଥାନାରେ ଅଭିଯୋଗ କରାଯାଇଥିଲା। ଏହା ଆଧାରରେ ନୋଏଡା ପୋଲିସ ଏକ ଜିରୋ FIR ରୁଜୁ କରି ପରେ ମାମଲାକୁ ନୂଆଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାକୁ ସ୍ଥାନାନ୍ତର କରିଥିଲା।