Blog
ଶିଶୁ ମୃତ୍ୟୁକୁ ନେଇ ରାସ୍ତାରେ ହଙ୍ଗାମା
ରାସ୍ତା କଡ଼ରେ ଷ୍ଟ୍ରେଚରରେ ପଡ଼ିଛି ୯ ବର୍ଷର କୁନି ପୁଅ… ଆଉ ଠିକ୍ ପାଖରେ ଛାତି ଫଟାଇ କାନ୍ଦୁଛି ମାଆ… ଭୁବନେଶ୍ୱର ଶିଶୁଭବନ ଛକରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପରିବାର ଲୋକଙ୍କ ଅଭିଯୋଗ, ଚିକିତ୍ସା ଅବହେଳା ଯୋଗୁଁ ଚାଲିଗଲା ପୁଅର ଜୀବନ। ଭୁବନେଶ୍ୱର ସାମନ୍ତରାପୁର ଅଞ୍ଚଳର ୯ ବର୍ଷର ବାଳକ ଅଂଶୁମାନଙ୍କର ହଠାତ୍ ମୁଣ୍ଡବିନ୍ଧା ଓ ବାନ୍ତି ହୋଇଥିଲା। ଏହାପରେ ତାଙ୍କୁ ଶିଶୁଭବନ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ପରିବାର ଲୋକଙ୍କ ଅଭିଯୋଗ, ଡାକ୍ତରଙ୍କ ଅବହେଳା ଓ ଚିକିତ୍ସାରେ ତ୍ରୁଟି ଯୋଗୁଁ ଶିଶୁଟିର ଜୀବନ ଚାଲିଯାଇଛି। ଏହାକୁ ନେଇ ହସ୍ପିଟାଲ ସାମ୍ନାରେ ମୃତଦେହ ରଖି ପ୍ରତିବାଦ କରିଥିଲେ ପରିବାର ଲୋକେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଡାକ୍ତରମାନେ ଶିଶୁକୁ ଭେଣ୍ଟିଲେଟରରେ ରଖି ବ୍ରେନ୍ ଡେଡ୍ ହୋଇଯାଇଥିବା କହିଥିଲେ ଏବଂ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଥିଲେ। ମାତ୍ର ଚିକିତ୍ସା ସମ୍ପର୍କରେ ସ୍ପଷ୍ଟ ତଥ୍ୟ କିମ୍ବା କ୍ଲିୟରାନ୍ସ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ପରିବାର। ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିସଚାର୍ଜ କରାଯାଇନଥିବା ବେଳେ ପରଦିନ ସକାଳେ ଶିଶୁକୁ ମୃତ ଘୋଷଣା କରାଯାଇଥିଲା। ଏହାପରେ କ୍ଷୁବ୍ଧ ପରିବାର ଲୋକେ ରାସ୍ତାରୋକ କରିବା ସହ ଚିକିତ୍ସା ଅବହେଳାର ଅଭିଯୋଗ ଆଣିଥିଲେ।
ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ଅବହେଳାର ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ବରଂ ପରିବାର ଲୋକେ ଡାକ୍ତର ଓ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିବା ପାଲଟା ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ଉଭୟ ପକ୍ଷର ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସିଥିବା ବେଳେ, ପ୍ରକୃତରେ କ’ଣ ଘଟିଥିଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।ଶିଶୁର ମୃତ୍ୟୁ ପରେ ପରିବାର ପକ୍ଷରୁ ଚିକିତ୍ସା ଅବହେଳାର ଅଭିଯୋଗ ହୋଇଥିବା ବେଳେ, ହସ୍ପିଟାଲ ପକ୍ଷ ତାହାକୁ ଅସ୍ୱୀକାର କରିଛି। ଏବେ ସମସ୍ତଙ୍କ ନଜର ରହିଛି ତଦନ୍ତ ଉପରେ।
- Trending




