ନିର୍ଦ୍ଦୋଶରେ ଖସିଗଲେ ବାହୁବଳୀ ନେତା ବ୍ରିଜଭୂଷଣ

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ବଡ଼ ଖବର | ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଦେଶର ରାଜନୀତି, କ୍ରୀଡ଼ା ଜଗତ ଏବଂ ସାମାଜିକ ପରିବେଶକୁ ଆନ୍ଦୋଳିତ କରିଥିବା ବହୁଚର୍ଚ୍ଚିତ ଯୌନ ନିର୍ଯାତନା ମାମଲାରେ ଆସିଛି ବଡ଼ ରାୟ | ଭାରତୀୟ କୁସ୍ତି ମହାସଂଘ ବା WFI ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ | କେବଳ ବ୍ରିଜଭୂଷଣ ନୁହେଁ… ଏହି ମାମଲାର ଅନ୍ୟତମ ସହ-ଅଭିଯୁକ୍ତ ତଥା WFI ର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି | ଏହି ରାୟ ପରେ ଦେଶବ୍ୟାପୀ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି |

ଏହି ମାମଲାର ଆରମ୍ଭ ହୋଇଥିଲା ୨୦୨୩ ମସିହାରେ ଯେତେବେଳେ ଦେଶର ଅନେକ ଆନ୍ତର୍ଜାତୀୟ ପଦକ ବିଜେତା ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା, ଅସଦାଚରଣ ଏବଂ ଭୟଭୀତ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ | ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ମାସ ମାସ ଧରି ଚାଲିଥିଲା ଆନ୍ଦୋଳନ | ଦେଶର ଶୀର୍ଷସ୍ଥ ରେସଲରମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ | ଅଲିମ୍ପିକ୍ ଓ ବିଶ୍ୱସ୍ତରରେ ଦେଶ ପାଇଁ ପଦକ ଜିତିଥିବା ଖେଳାଳିମାନଙ୍କ ଆଖିରେ ଲୁହ ଦେଖିଥିଲା ସାରା ଦେଶ | ଏହି ଘଟଣା ସେତେବେଳେ ଦେଶର ରାଜନୀତି ସହ କ୍ରୀଡ଼ା ଜଗତରେ ମଧ୍ୟ ଝଡ଼ ସୃଷ୍ଟି କରିଥିଲା |

ରେସଲରମାନଙ୍କ ଆନ୍ଦୋଳନ ଏବଂ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୋଲିସ ଏହି ମାମଲାରେ FIR ରୁଜୁ କରିଥିଲା ପରେ ବିସ୍ତୃତ ତଦନ୍ତ କରି ୨୦୨୩ ଜୁନ୍ ମାସରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା | ଏହା ପରେ ଦୀର୍ଘ ସମୟ ଧରି ଚାଲିଥିଲା ବିଚାର ପ୍ରକ୍ରିୟା ସମ୍ବେଦନଶୀଳ ମାମଲା ହୋଇଥିବାରୁ ବନ୍ଦ କୋଠରୀ ଭିତରେ ସାକ୍ଷ୍ୟ, ପ୍ରମାଣ ଏବଂ ଯୁକ୍ତିତର୍କ ଶୁଣିଥିଲେ କୋର୍ଟ | ଉଭୟ ପକ୍ଷର ଶେଷ ଯୁକ୍ତିତର୍କ ଶେଷ ହେବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ |

ଆଉ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଶ୍ୱିନୀ ପାୱାର ଏହି ବହୁ ପ୍ରତୀକ୍ଷିତ ରାୟ ଶୁଣାଇଛନ୍ତି | କୋର୍ଟ କହିଛନ୍ତି… ଅଭିଯୋଗକାରୀ ପକ୍ଷ ଆଇନ ଅନୁଯାୟୀ ଆବଶ୍ୟକୀୟ ପ୍ରମାଣ ଓ ସାକ୍ଷ୍ୟ ଉପସ୍ଥାପନ କରିବାରେ ସଫଳ ହୋଇପାରିନାହାନ୍ତି | ସନ୍ଦେହାତୀତ ଭାବେ ଅଭିଯୋଗ ପ୍ରମାଣିତ ହୋଇନଥିବାରୁ ବ୍ରିଜଭୂଷଣ ଶରଣ ସିଂହ ଏବଂ ବିନୋଦ ତୋମାରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି ଅର୍ଥାତ୍ ପ୍ରମାଣର ଅଭାବ ଯୋଗୁଁ କୋର୍ଟ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି |