୨୨ ପିଲାଙ୍କ ଜୀବନ ନେଲା ମାରାତ୍ମକ ଭାଇରସ୍

ପୁଣି ଚିନ୍ତା ବଢ଼ାଇଲା ଏକ ମାରାତ୍ମକ ଭାଇରସ୍ । ଗୁଜରାଟରେ ନିରବ ଘାତକ ସାଜିଛି ଚାନ୍ଦିପୁରା ଭାଇରସ୍ । ଏମିତି ଏକ ଭାଇରସ ଯାହାର ଶିକାର ହେଉଛନ୍ତି କୋମଳମତି ପିଲା ଆଉ ଯାହାର ଚିକିତ୍ସା ପାଇଁ ଏଯାଏଁ ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ । ନାହିଁ କୌଣସି ଟୀକା । ରାଜ୍ୟରେ ଏହି ଭାଇରସ୍ ଯୋଗୁଁ ଏ ପର୍ଯ୍ୟନ୍ତ ୨୨ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପାଇଁ ବଢ଼ିଛି ଚ୍ୟାଲେଞ୍ଜ । ଗୋଟିଏ ଜିଲ୍ଲା ନୁହେଁ ବରଂ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ଆସୁଛି ସଂକ୍ରମଣର ଖବର ।

ଚାନ୍ଦିପୁରା ଭାଇରସ ନାଁ ଶୁଣିଲେ ହିଁ ଭୟ ସୃଷ୍ଟି ହେଉଛି । କାରଣ ଏହି ଭାଇରସ୍ ପ୍ରାୟତଃ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଟାର୍ଗେଟ୍ କରୁଛି ।ଗୁଜରାଟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଚଳିତ ମୌସୁମୀ ଋତୁରେ ୧୮୪ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୩୫ ଜଣଙ୍କ ଶରୀରରେ ଚାନ୍ଦିପୁରା ଭାଇରସ୍ ନିଶ୍ଚିତ ହୋଇଛି । ଆଉ ସେଥିରୁ ୨୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି.। ଏବେ ବି ଅନେକ ନମୁନାର ପରୀକ୍ଷା ରିପୋର୍ଟ ଆସିବା ବାକି ରହିଛି ।ଯାହାକୁ ନେଇ ଆଶଙ୍କା ଆହୁରି ବଢ଼ିଛି ।

ଏପଟେ ପଜିଟିଭ୍ ଚିହ୍ନଟ ହୋଇଥିବା ପିଲାମାନଙ୍କୁ ରାଜ୍ୟର ବିଭିନ୍ନ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ଦିଆଯାଉଛି।ଗାନ୍ଧୀନଗର… ସାବରକଣ୍ଠା… ପାଟନ… ରାଜକୋଟ… ଓ ଭାବନଗର ଭଳି ସ୍ଥାନରେ ବିଶେଷଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି.। ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଏହି ଭାଇରସ୍ ପାଇଁ ଏଯାଏଁ କୌଣସି ନିର୍ଦ୍ଦିଷ୍ଟ ଟୀକା ନାହିଁ। କିମ୍ବା ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ଉପଲବ୍ଧ ନାହିଁ। ଅର୍ଥାତ୍ ରୋଗୀଙ୍କୁ କେବଳ ଲକ୍ଷଣ ଅନୁଯାୟୀ ଚିକିତ୍ସା ଦିଆଯାଉଛି।

କଣ ଏହି ଚାନ୍ଦିପୁରା ଭାଇରସ୍…? କିପରି ବ୍ୟାପିଥାଏ…? କାହିଁକି ପିଲାମାନେ ଅଧିକ ଶିକାର ହେଉଛନ୍ତି…?

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଏକ ବିରଳ ଭାଇରାଲ୍ ଏନସେଫାଲାଇଟିସ୍। ଯାହା ପ୍ରଧାନତଃ ସ୍ୟାଣ୍ଡ ଫ୍ଲାଏ ବା ରକ୍ତ ଶୋଷୁଥିବା ଅତି କ୍ଷୁଦ୍ର କୀଟ ମାଧ୍ୟମରେ ବ୍ୟାପିଥାଏ।ସଂକ୍ରମଣ ପରେ ରୋଗୀଙ୍କଠାରେ ଜ୍ୱର, ବାନ୍ତି, ମୁଣ୍ଡବିନ୍ଧା, ଖିଁଚୁଣି ଏବଂ ଅତି କମ୍ ସମୟ ମଧ୍ୟରେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିପାରେ.। ସେଥିପାଇଁ ସାମାନ୍ୟ ଲକ୍ଷଣକୁ ମଧ୍ୟ ହାଲୁକା ଭାବେ ନ ନେବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି।

ଏହି ଭାଇରସ୍ ପ୍ରଥମେ ୧୯୬୫ ମସିହାରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଚାନ୍ଦିପୁରା ଗାଁରେ ଚିହ୍ନଟ ହୋଇଥିଲା। ସେହି ଗାଁର ନାମ ଅନୁସାରେ ଏହି ଭାଇରସର ନାମକରଣ କରାଯାଇଥିଲା। ଗତ କିଛି ବର୍ଷ ଧରି ମହାରାଷ୍ଟ୍ର… ଗୁଜରାଟ… ମଧ୍ୟପ୍ରଦେଶ ସମେତ କେତେକ ରାଜ୍ୟରେ ବିଛିନ୍ନ ଭାବେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳିଛି। କିନ୍ତୁ ଚଳିତ ବର୍ଷ ଗୁଜରାଟରେ ବଢ଼ୁଥିବା ମୃତ୍ୟୁ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି.।

ଏପଟେ ଗୁଜରାଟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିୟା ଲୋକଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି… ପିଲାଙ୍କ ଶରୀରରେ ଯଦି ହଠାତ୍ ଜ୍ୱର… ବାନ୍ତି… ଅସ୍ୱାଭାବିକ ବ୍ୟବହାର କିମ୍ବା ଖିଁଚୁଣି ଭଳି ଲକ୍ଷଣ ଦେଖାଯାଏ। ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଖାନାକୁ ନେବାକୁ ହେବ। କାରଣ ଏହି ରୋଗରେ ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ।

ଗୁଜରାଟରେ ଚାନ୍ଦିପୁରା ଭାଇରସର ବଢ଼ୁଥିବା ସଂକ୍ରମଣ କେବଳ ସେହି ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି। ବିଶେଷ କରି ବର୍ଷା ଋତୁରେ ସଫାସୁତୁରା ପରିବେଶ।କୀଟପତଙ୍ଗ ନିୟନ୍ତ୍ରଣ.ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ସତର୍କ ନଜର ରଖିବା ଏବେ ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ତେବେ ଆଗାମୀ ଦିନରେ ସଂକ୍ରମଣକୁ ରୋକିବାରେ ସ୍ୱାସ୍ଥ୍ୟ ବିଭାଗ କେତେ ସଫଳ ହେବ ଏବଂ ମୃତ୍ୟୁ ସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯିବ.। ତାହା ଉପରେ ସମସ୍ତଙ୍କ ନଜର ରହିଛି।